କାନପୁର: ‘କାଳିନ୍ଦୀ ଏକ୍ସପ୍ରେସ୍’କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଷଡ଼ଯନ୍ତ୍ର, ଗ୍ୟାସ୍ ଭର୍ତ୍ତି ସିଲିଣ୍ଡରକୁ ଧକ୍କା ଦେଲା ଟ୍ରେନ୍
ଉତ୍ତର ପ୍ରଦେଶର କାନପୁରରେ ‘କାଳିନ୍ଦୀ ଏକ୍ସପ୍ରେସ୍’କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ହୋଇଛି ଷଡ଼ଯନ୍ତ୍ର । ରେଳଧାରଣା ଉପରୁ ଏଲ୍ପିଜି ସିଲିଣ୍ଡର, ପେଟ୍ରୋଲ ଭର୍ତ୍ତି ବୋତଲ ଏବଂ କିଛି ବାରୁଦ ମିଳିବା ପରେ ସନ୍ଦେହ ଆହୁରି ବଢ଼ିଛି । ପ୍ରୟାଗରାଜରୁ କାନପୁର ହୋଇ ଭିଓ୍ଵାନୀ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସ୍ (୧୪୧୧୭)କୁ ଏଲ୍ପିଜି ସିଲିଣ୍ଡରରେ ଉଡ଼ାଇ ଦେବାକୁ ଏକ ବଡ଼ ଷଡ଼ଯନ୍ତ୍ର ରଚାଯାଇଥିଲା ।
ରବିବାର ରାତିରେ ଏହି ଟ୍ରେନ୍ ଟ୍ରାକ୍ ଉପରେ ରଖାଯାଇଥିବା ଏକ ସିଲିଣ୍ଡରକୁ ଧକ୍କା ଦେଇଥିଲା । ଏହି ସମୟରେ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା । ସୌଭାଗ୍ୟବଶତଃ, ଟ୍ରେନ୍ରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ ।
କାନପୁରର ଅନଓ୍ଵରଗଞ୍ଜ-କାସଗଞ୍ଜ ରେଳ ରୁଟ୍ରେ ଏହି ଘଟଣା ଘଟିଛି । ଭିଓ୍ଵାନୀ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସ୍ ଟ୍ରାକ୍ରେ ଥୁଆ ହୋଇଥିବା ସିଲିଣ୍ଡର ସହ ଧକ୍କା ହୋଇଥିଲା । ଏତିକି ବେଳେ ଜୋର୍ରେ ଶବ୍ଦ ଶୁଭିଥିଲା । ଆଶ୍ୱସ୍ତିକର କଥା ଯେ ଲୋକୋ ପାଇଲଟ୍ ଜରୁରୀକାଳୀନ ବ୍ରେକ୍ ଲଗାଇ ଦେବାରୁ ବଡ଼ ଦୁର୍ଘଟଣା ଟଳିଯାଇଥିଲା ।
ଲୋକୋ ପାଇଲଟ୍ଙ୍କ ସୂଚନା ପରେ ଆର୍ପିଏଫ୍ ଇନ୍ସପେକ୍ଟର ଯାଞ୍ଚ ପାଇଁ ପହଞ୍ଚିଥିଲେ । ଟିମ୍ ଯାଞ୍ଚ କରିବା ପରେ ପାଖାପାଖି ୨୦୦ ମିଟର ଦୂରରୁ ସିଲିଣ୍ଡର ଜବତ କରିଥିଲା । ଟ୍ରେନ୍ ଧକ୍କା ଦେଇଥିବା ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି ଥିଲା । ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ଆର୍ପିଏଫ୍ ଏକ ମାମଲା ପଞ୍ଜିକୃତ କରିଛି । ଏହାସହିତ IBକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । କାନପୁର ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ।