ପ୍ରେମରେ ଧୋକା ପାଇବା ପରେ କିନ୍ନର ମହିଳାଙ୍କୁ ଗଳା ଚିପି ହତ୍ୟା
ରାଜସ୍ଥାନର ଜୟପୁରରେ ପ୍ରେମିକ ପ୍ରେମରେ ଧୋକା ପାଇବା ପରେ ଜଣେ କିନ୍ନର ମହିଳାଙ୍କୁ ଗଳା ଚିପି ହତ୍ୟା କରିଲା ଏବଂ ପରେ ନିଜ ଦୁଇଜଣ ସାଥିଙ୍କ ସହ ମିଶି ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।
ରାଜସ୍ଥାନର ଜୟପୁରରେ ପ୍ରେମିକ, ପ୍ରେମରେ ଧୋକା ପାଇବା ପରେ ଜଣେ କିନ୍ନର ମହିଳାଙ୍କୁ ଗଳା ଚିପି ହତ୍ୟା କରିଛି । ନିଜ ଦୁଇଜଣ ସାଥିଙ୍କ ସହ ମିଶି ଗଳା ଚିପି ହତ୍ୟା କରିଲା ଓ ପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା । ଏହି ଘଟଣା ଜୟପୁରର କାନୋତା ଥାନା ଅଞ୍ଚଳର ପାପଡ ଗ୍ରାମରେ ଘଟିଛି । ୨୯ ସେପ୍ଚେମ୍ବରରେ ଉକ୍ତ ଅଞ୍ଚଳର ରାସ୍ତା କଡରେ ଥିବା ଏକ ଜଙ୍ଗଲରେ ଅଧା ଜଳିଯାଇଥିବା ମୃତଦେହ ମିଳିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏହା ସହିତ FSL ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିଲା ।
ଅଭିଯୁକ୍ତ ନରେଶ ମିଣା ଓରଫ ନରଶି, ତାଙ୍କ ଭାଇ ସୂରଜ ମିଣା ଓ ସୁନୀଲ ଭାଟଙ୍କୁ ପୋଲିସ ଗିରଫ କରିଛି । ପଚରା ଉଚରା ସମୟରେ ଅଭିଯୁକ୍ତ ଅପରାଧ ସ୍ୱୀକାର କରିଛନ୍ତି । ପୋଲିସ ତଦନ୍ତରୁ ମୃତକର ପରିଚୟ ନିଲୁ କିନ୍ନର ବୋଲି ଜଣାପଡିଛି । ପଚରା ଉଚରାରୁ ଜଣାପଡିଛି କି, ନରେଶ ଓ ନିଲୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଉଭୟ ଏକାଠି ଥିଲେ । କିନ୍ତୁ କିଛି ସମୟ ପୂର୍ବରୁ ଉକ୍ତ କିନ୍ନର ମହିଳା ଜଣଙ୍କ ନରେସଙ୍କୁ ଛାଡି ଅନ୍ୟ ଜଣେ ଯୁବକଙ୍କ ସହିତ ରହୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।
୨୮ ସେପ୍ଚେମ୍ବରରେ କିନ୍ନର ମହିଳା ଜଣଙ୍କ ଫାଗୀ ଗ୍ରାମରୁ ଜୟପୁର ଫେରୁଥିବା ବେଳେ ତାଙ୍କ ସହ ପ୍ରେମିକ ନରେଶ, ତାଙ୍କ ଭାଇ ଓ ସାଙ୍ଗ ମଧ୍ୟ ଥିଲେ । ଏହି ସମୟରେ ଉଭୟଙ୍କ ଭିତରେ ଝଗଡା ହୋଇଥିଲା । ଏହି ଝଗଡା ଏତେ ଆଗକୁ ବଢିଯାଇଥିଲା ଯେ ନରେଶ ନିଜ ପ୍ରେମିକାଙ୍କ ମୁହଁକୁ ମାରି ରକ୍ତାତ କରିଦେଇଥିଲା । ତା’ପରେ ନରେଶ ଓ ସୁନୀଲ ମିଶି ଢୋଲ ଦଉଡିରେ କିନ୍ନର ମହିଳାଙ୍କ ଗଳା ଚିପି ହତ୍ୟା କରିଥିଲେ । ଅଭିଯୁକ୍ତ ମାନେ ଏଠାରେ ଅଟକି ନଥିଲେ, ମୃତଦେହକୁ ଲୁଚାଇବା ପାଇଁ ପ୍ଲାଷ୍ଚିକ ଡବାରେ ୫ ଲିଟର ପେଟ୍ରୋଲ କିଣିଥିଲେ ଏବଂ ରାସ୍ତାକଡ ଜଙ୍ଗଲରେ ମୃତଦେହରେ ନିଆଁ ଲଗାଇଦେଇଥିଲେ ।