ଟୋଲ ପ୍ଲାଜାରେ ଆଉ କରିବାକୁ ପଡିବନି ଅପେକ୍ଷା, ଖୁବଶୀଘ୍ର ବର୍ଷିକିଆ କିମ୍ବା ଲାଇଫଲାଇମ୍ ଟୋଲ ପାସ୍ ସୁବିଧା

ଜାତୀୟ ରାଜପଥରେ ଯାଉଥିବା କାର୍ ମାଲିକଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଖୁବଶୀଘ୍ର ବର୍ଷିକିଆ କିମ୍ବା ଲାଇଫଲାଇମ୍ ଟୋଲ ପାସ୍ ସୁବିଧା କରିବାକୁ ଯାଉଛନ୍ତି । ଏଣିକି ଥରେ ଟଙ୍କା ଦେଲେ ବର୍ଷସାରା ଆପଣଙ୍କୁ ଟୋଲଗେଟ୍‌ରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁଯାୟୀ, ଯାତ୍ରୀ ମାତ୍ର ୩,୦୦୦ରେ ବର୍ଷିକିଆ ଟୋଲ୍ ପାସ୍ ଜରିଆରେ ଯିବାଆସିବା କରିବାର ସୁବିଧା ମିଳିବ । ସେହିପରି ୧୫ ବର୍ଷ ପାଇଁ ଲାଇଫଟାଇମ୍ ଟୋଲ ପାସ୍ ୩୦,୦୦୦ ଟଙ୍କାରେ ଉପଲବ୍ଧ ହେବ । ଏହି ଯୋଜନା ଲାଗୁ ହେବା ପରେ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସିଧା ଲାଭ ମିଳିବ । ଆଉ ଟୋଲ ପ୍ଲାଜାରେ ଥିବା ଭିଡ଼ ମଧ୍ୟ କମ୍ ହେବ ।

ରିପୋର୍ଟ ମୁତାବକ, ଏହି ପ୍ରସ୍ତାବ ସଡ଼କ ପରିବହନ ମନ୍ତ୍ରଣାଳୟ ନିକଟରେ ଶେଷ ପର୍ଯ୍ୟାୟରେ ରହିଛି । ଏହାକୁ ନେଇ ମନ୍ତ୍ରଣାଳୟ କାର୍ ପାଇଁ ପ୍ରତି କିମି ଟୋଲ ଦରରେ ହ୍ରାସ କରିବା ପାଇଁ ବିଚାର କରୁଛି । ଏହାଦ୍ବାରା ହାଇୱେରେ ଯିବାଆସିବା କରୁଥିବା ଲୋକଙ୍କୁ ଆଶ୍ବସ୍ତି ମିଳିବ । ଏହି ନୂଆ ପାସ୍ ପାଇଁ କୌଣସି ପ୍ରକାରର ନୂଆ କାର୍ଡ କିଣିବାର ଆବଶ୍ୟକତା ନାହିଁ । ଏହା ଫାସଟାଗ୍ ସହିତ ଲିଙ୍କ କରାଯିବ ।

ପ୍ରାୟ ୬୦ କିଲୋମିଟରରେ ଗୋଟାଏ ଲେଖାଏଁ ଟୋଲ ଗେଟ୍ ପଡ଼େ । ଏହି ଟୋଲ ଗେଟ୍‌ରେ ନିର୍ଦ୍ଧାରିତ ଟଙ୍କା ଦେବା ପରେ ହିଁ ଆପଣ ଆଗକୁ ବଢନ୍ତି । ବେଳେ ବେଳେ ଟୋଲ ପ୍ଲାଜାରେ ଏମିତି ଭିଡ଼ ହୁଏ ଯେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଆପଣ ରାସ୍ତାରେ ହିଁ ଅପେକ୍ଷା କରନ୍ତି । ବର୍ତ୍ତମାନ ଟୋଲ ପ୍ଲାଜାରେ ମାସିକିଆ ପାସ୍ ମିଳୁଛି । ପୁରା ଦେଶରେ ଥିବା ରାଷ୍ଟ୍ରୀୟ ରାଜମାର୍ଗ ନେଟୱର୍କରେ ଅସୀମିତ ଯାତ୍ରା କରିବା ଲାଗି ୩୦୦୦ ଟଙ୍କାର ବ୍ୟବସ୍ଥା ହେଲେ ଶହଶହ ସଂଖ୍ୟାରେ ଯାତ୍ରୀ ଉପକୃତ ହେବେ ବୋଲି କୁହାଯାଉଛି ।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଗାଡ଼ି ମାଲିକ କେମିତି ଭଲରେ ଗାଡ଼ି ଚଳାଇବେ ସେନେଇ ଆମେ ଅନେକ ଯୋଜନା କରିବାକୁ ଯାଉଛୁ । ଟୋଲ ପ୍ଲାଜାରେ ପାସ୍ ଯୋଜନା ଉପରେ କାମ ଚାଲିଛି ।

ସୂଚନାଯୋଗ୍ୟ, ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ନଗଦବିହୀନ ଚିକିତ୍ସା ସେବା ଅର୍ଥାତ୍ କ୍ୟାସଲେସ୍ ଟ୍ରିଟମେଣ୍ଟ୍ । ଏଥିପାଇଁ ଭାରତ ସରକାର ମାର୍ଚ୍ଚ ସୁଦ୍ଧା ଏକ ଯୋଜନା ଆରମ୍ଭ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଥିଲେ । ଏହାକୁ ଜାତୀୟ ସ୍ତରରେ ଲାଗୁ କରାଯିବ । ଏହି ଯୋଜନା ଅଧୀନରେ ପୀଡିତମାନେ ଦୁର୍ଘଟଣାର ସାତ ଦିନ ଯାଏ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲ୍ ଟ୍ରିଟମେଣ୍ଟ୍ ପାଇଁ ଯୋଗ୍ୟ ହେବେ ।

Also Read : ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା: ନୀତିନ ଗଡକରୀ

You might also like