ଜଙ୍ଗଲକୁ ଘୋଷାଡ଼ି ଘୋଷାଡ଼ି ନେଇ ଆଦିବାସୀ ନାବାଳିକାର ଲୁଟିଲେ ଇଜ୍ଜତ, ପରେ ପଥରରେ ଛେଚି କଲେ ହତ୍ୟା

ପୁଣିଥରେ ପିଶାଚ ପାଲଟିଗଲା ମଣିଷ। ଲୁଟିଲା ଝିଅର ଇଜ୍ଜତ। ୧୫ ବର୍ଷର ଏକ ଝିଅର ଶରୀରକୁ ଖିନ୍‌ଭିନ୍‌ କରି ପକାଇବା ପରେ ପ୍ରମାଣ ନଷ୍ଟ କରିବାକୁ ଶେଷରେ ନେଇଗଲେ ତା’ ଜୀବନ। ନର ରାକ୍ଷସର ଲୋଲୁପ ନଜର ଯୋଗୁ ପୁଣିଥରେ ଝଡ଼ିଗଲା ଏକ କୋମଳ ଜୀବନ। ରାଜସ୍ଥାନର ବୁନ୍ଦୀରେ ଏଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ୧୫ ବର୍ଷୀୟ ଆଦିବାସୀ ନାବାଳିକା ସହ ଗଣ ଦୁଷ୍କର୍ମ କରିବା ପରେ ରାକ୍ଷସମାନେ ତାକୁ ହତ୍ୟା କରିଛନ୍ତି। ଘର ଲୋକ ଝିଅକୁ ଖୋଜିଖୋଜି ଜଙ୍ଗଲରୁ ଶବ ଉଦ୍ଧାର କରିଛନ୍ତି। ତେବେ ଏହି ମାମଲାରେ ପୋଲିସ ଯୁଦ୍ଧକାଳୀନ ଭିତ୍ତିରେ ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

୩ ରାକ୍ଷସ ପ୍ରଥମେ କିଶୋରୀ ସହ ବଳାତ୍କାର କରିଥିଲେ। ସେ ଏହାକୁ ବିରୋଧ କରିବାରୁ ସେମାନେ ତା’ ଶରୀରକୁ ଖିନ୍‌ଭିନ୍‌ କରି ପକାଇଥିଲେ। ଏହା ପରେ ସେମାନେ ତା’ ତଣ୍ଟି ଚିପି ହତ୍ୟା କରିଥିଲେ। ମୃତ ଦେହ ଯେମିତି ଚିହ୍ନା ପଡ଼ିବ ସେଥିପାଇଁ ରାକ୍ଷସମାନେ ଏକ ପଥରରେ ତା’ ମୁହଁକୁ ଛେଚି ଦେଇଥିଲେ।

ତେବେ ଖବର ପାଇ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ୧୨ ଘଣ୍ଟା ମଧ୍ୟରେ ପୋଲିସ ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକ। ମାମଲାର ଖୁଲାସା କରିବା ପରେ ପୋଲିସ ୩ ଅଭିଯୁକ୍ତଙ୍କ ବିରୋଧରେ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରିଛି।

ତେବେ ପରିବାର ଲୋକଙ୍କ କହିବାନୁସାରେ, ଦୀର୍ଘ ସମୟ ଧରି ଝିଅ ଘରକୁ ନ ଫେରିବାରୁ ସେମାନେ ଖୋଜାଖୋଜି କରିଥିଲେ। ଏହି ସମୟରେ ଜଣେ ସ୍ଥାନୀୟ ଲୋକ କହିଥିଲେ ଯେ ଜଙ୍ଗଲରୁ ଏକ ଝିଅର ଚିତ୍କାର ଶୁଭୁଥିଲା। ଜଙ୍ଗଲରେ ଯାଇ ଖୋଜାଖୋଜି କରିବାରୁ ଘର ଲୋକ ଝିଅର ଉଲଗ୍ନ ମୃତ ଦେହ ପଡ଼ିଥିବା ଦେଖିଥିଲେ। ପରେ ସେମାନେ ଏ ନେଇ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଅନ୍ୟପଟେ ପୋଲିସ ବ୍ୟବଚ୍ଛେଦ ପରେ ଝିଅର ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ପରିଜନଙ୍କ ଦାବି ମୁତାବକ, ପ୍ରଶାସନ ପକ୍ଷରୁ ୫ ଲକ୍ଷ ଟଙ୍କା ସହ ମନରେଗାରେ ରୋଜଗାର ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି।