ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ, ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ନେତା

ଆଜି ଅକ୍ଟୋବର ୨ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ।  ଆଜି ଜନ୍ମ ଜୟନ୍ତୀରେ ବାପୁଙ୍କୁ ମନେ ପକାଉଛି ଦେଶ। ଅର୍ପଣ କରୁଛି ଶ୍ରଦ୍ଧା ସୁମନ।  ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ନେତା । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ରାଜଘାଟରେ ପହଞ୍ଚି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।  କଂଗ୍ରେସ ଏବଂ ବିଭିନ୍ନ ଦଳର ନେତା ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।  ଆଜି ବାପୁଙ୍କ ସହ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଉଛି ଦେଶ । ମନେ ପକାଉଛି ସେହି ମହାପୁରୁଷଙ୍କୁ।

ଭାରତକୁ ଇଂରେଜମାନଙ୍କ ଠାରୁ ସ୍ୱାଧୀନତା ଦେବାରେ ପ୍ରମୁଖ୍ୟ ଭୂମିକା ଗ୍ରହଣ କରିଥିବା ମହାତ୍ମା ଗାନ୍ଧୀଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ ତାରିଖରେ ଗୁଜରାଟର ପୋର୍‌ବନ୍ଦରରେ ହୋଇଥିଲେ ।  ଗାନ୍ଧୀଙ୍କ ଅହିଂସାର ମାର୍ଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅର୍ନ୍ତଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି । ଆଇନ୍ ପାଠ ସାରି ଦକ୍ଷିଣ ଆଫ୍ରିକାରେ ପେଶାଦାର ଜୀବନ ଆରମ୍ଭ କରିବା ବେଳେ ହିଁ ମହାତ୍ମାଗାନ୍ଧୀଙ୍କ ଭିତରେ ଥିବା ନେତୃତ୍ୱ ନେବା ଗୁଣ ପ୍ରସ୍ପୁଟିତ ହୋଇଥିଲା । ଇଂରେଜ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଭାରତ ଛାଡ଼ ଆନ୍ଦୋଳନ କରି ଅହିଂସା ପଥରେ ଦେଶ ପାଇଁ ସ୍ୱାଧୀନ ଆଣି ଦେଇଥିଲେ ଏହି ମହାନ ଜନନାୟକ । ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ନାଥୁରାମ ଗଡସେ ନାମକ ଜଣେ ଆତତାୟୀ ଗୁଳିରେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ ବାପୁଜୀ ।

ସେପଟେ ଆଜି ସମଗ୍ର ଦେଶରେ ପାଳିତ ହେଉଛି ରାଷ୍ଟ୍ରନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ୧୯୦୪ ମସିହାରେ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ। ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେ । ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ସହ ଯୁଦ୍ଧଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା ଭାରତ । ତାଙ୍କ ସ୍ଲୋଗାନ ‘ଜୟ ଜବାନ ଏବଂ ଜୟ କିଶାନ’ ଆଜି ଦେଶ ପାଇଁ ଅମର ହୋଇ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like