ଆଜି ରାଜ୍ୟସଭାରେ ଆଗତ ହେବ ତିନି ତଲାକ ବିଲ

ନୂଆଦିଲ୍ଲୀ (କେନ୍ୟୁଜ୍) : ଆଜି ରାଜ୍ୟସଭାରେ ଆଗତ ହୋଇପାରେ ଟ୍ରିପଲ ତଲାକ ବିଲ୍ । ପ୍ରବଳ ହୋହଲ୍ଲା ଯୋଗୁଁ ଗତ ୩୧ ତାରିଖ ଦିନ ରାଜ୍ୟସଭାରେ ଏହି ବିଲକୁ ଆଗତ କରାଯାଇପାରିନାହିଁ । ବିଲକୁ ଚୟନ କମିଟିକୁ ପଠାଇବାକୁ ଅଡି ବସିଛନ୍ତି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ । କଂଗ୍ରେସ କହିଛି, ଟ୍ରିପଲ ତଲାକ ବିଲ ପାସ ହେଲେ କୋଟିକୋଟି ମହିଳାଙ୍କ ଜୀବନ ପ୍ରଭାବିତ ହେବ। ଏହା ଅତ୍ୟନ୍ତ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ବିଲ। ସେହିପରି ବିଲକୁ ଚୟନ କମିଟି ନିକଟକୁ ପଠାଇବାକୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ପ୍ରଶ୍ନ କରିଛି ଟିଏମସି।
ସେପଟେ ମୁସଲିମ ମହିଳାଙ୍କ ଅଧିକାର ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବିଲକୁ ଜାଣିଶୁଣି ବିରୋଧୀମାନେ ଅଟକାଉଥିବା କହିଛନ୍ତି ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ। ପୂର୍ବରୁ ଲୋକସଭାରେ ତିନିତଲାକ ବିଲ ପାସ ହୋଇସାରିଛି। କିନ୍ତୁ ରାଜ୍ୟସଭାରେ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ତେଣୁ ଚୟନ କମିଟିକୁ ପଠାନଗଲେ ଏହି ବିଲ୍ ପାସ କରାଇନଦେବାକୁ ଯୋଜନା ରଖିଛି କଂଗ୍ରେସ।