ତେଜିଲା ଟିଆର୍ଏସ-ବିଜେପି ବିବାଦ: ୪ ଟିଆର୍ଏସ ବିଧାୟକଙ୍କୁ ଦଳ ଛାଡ଼ିବାକୁ ଯଚା ଯାଇଥିଲା ୨୫୦ କୋଟି , ୩ ଅଟକ

ନୂଆଦିଲ୍ଲୀ : ତେଲେଙ୍ଗାନା ରାଜନୀତିରେ ଘମାସାନ । ଅପରେସନ୍ ଲୋଟସ୍ ଅଭିଯୋଗ । ଦଳ ବଦଳାଇ ବିଜେପିକୁ ଆସିବା ପାଇଁ ଶାସକ ଟିଆରଏସ୍ର ୪ ଜଣ ବିଧାୟକଙ୍କୁ ଯଚା ଯାଇଥିଲା ୨୫୦ କୋଟି ଟଙ୍କା । ସେଥିରୁ ଜଣେ ପ୍ରମୁଖ ନେତାଙ୍କୁ ୧୦୦ କୋଟି ଟଙ୍କା ଯଚା ଯାଇଥିଲା। ଅନ୍ୟ ୩ ଜଣଙ୍କ ପାଇଁ ୫୦ କୋଟି ଲେଖାଏଁ ଅଫର ଥିଲା । ଗତ ରାତିରେ ହାଇଦ୍ରାବାଦର ଏକ ଫାର୍ମ ହାଉସ୍ରେ ଗୁପ୍ତ ମୂଲଚାଲ ହୋଇଥିଲା । ଏହି ଦାବି କରିଛି ତେଲେଙ୍ଗାନା ପୋଲିସ।
ପୋଲିସ ସୂଚନା ମୁତାବକ, ପାଇଲଟ୍ ରୋହିତ ରେଡ୍ଡୀ ନାମକ ଜଣେ ବିଧାୟକଙ୍କ ଫାର୍ମ ହାଉସରେ ଡିଲ ହୋଇଥିଲା । ୪ ଜଣ ବିଧାୟକଙ୍କ ପାଇଁ ଟେବୁଲ ଉପରେ ୨୫୦ କୋଟି ଟଙ୍କା ରଖାଯାଇଥିଲା। କିନ୍ତୁ ଟିଆରଏସ୍ର ବିଧାୟକମାନେ ଏ ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ୩ ଜଣଙ୍କୁ ଅଟକ ରଖିଥିଲା । ପୋଲିସ କହିଛି ଯେ ଅଟକ ଥିବା ଲୋକେ ବିଜେପି ସହ ସମ୍ପର୍କରେ ଅଛନ୍ତି । ବିଧାୟକ ରୋହିତ ରେଡ୍ଡି ମଧ୍ୟ ଏଫଆଇଆର ଦେଇଛନ୍ତି । ଏଥିରେ ଅଭିଯୋଗ କରିଛନ୍ତି ଯେ, ବିଜେପିରେ ଯୋଗ ନଦେଲେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ ଓ ଇଡି ରେଡ୍ ହେବ । ଅନ୍ୟପଟେ ଅଭିଯୋଗର ଜବାବ ରଖିଛି ବିପେଜି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିଜେ ଏଭଳି ଡ୍ରାମା ରଚିଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜି କିଷନ୍ ରେଡ୍ଡୀ । ଲୋକେ ବିଜେପି ସହ ଓ ମୋଦିଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି ।