ଓଭର ଲୋଡିଂ କରିବା ପଡିଲା ମହଙ୍ଗା, ଦିଲ୍ଲୀରେ ୧ଲକ୍ଷ ୪୧ ହଜାର ଟଙ୍କା ଫାଇନ୍ ଗଣିଲେ ରାଜସ୍ଥାନର ଟ୍ରକ୍ ଚାଳକ
ନୂଆଦିଲ୍ଲୀ: ନୂଆ ମୋଟର ଭେହିକିଲ୍ ଆକ୍ଟ ଲାଗୁ ହେବା ପରେ ପ୍ରତିଦିନ ଜରିମନା ଆଦାୟ ହେଉଥିବା ଖବର ସାମ୍ନାକୁ ଆସିଥାଏ । ଅନେକ ସମୟରେ ଏତେ ଭାରି ମୂଲ୍ୟର ଜରିମନାକୁ ବହୁତ ଲୋକ ବିରୋଧ କରି ମଧ୍ୟ କରିଥାନ୍ତି । ଅନେକ ଏହି ଜରିମନା ରାଶିକୁ ନେଇ ଗାଡିରେ ନିଆଁ ଲଗାଇଦେଇଥିବାବେଳେ ଆଉ କିଛି ଗାଡିକୁ ଧରି ଚାଲି ଚାଲି ଯାଉଥିବା ଖବର ସାମ୍ନାକୁ ଆସିଛି ।
ଦିଲ୍ଲୀର ରୋହିଣୀ କୋର୍ଟରେ ୧ଲକ୍ଷ ୪୧ହଜାର ୭୦୦ ଟଙ୍କାର ଚାଲାଣ କଟାଯାଇଛି । ରାଜସ୍ଥାନର ଏକ ଟ୍ରକ୍ ମାଲିକ ଦିଲ୍ଲୀର ରୋହିଣୀ କୋର୍ଟରେ ଚାଲାଣର ପୁରା ଟଙ୍କାକୁ ଦେଇଥିବା ଜଣାପଡିଛି । ଟ୍ରକ୍ ମାଲିକ ରାଜସ୍ଥାନର ବିକାନେରର ନିବାସୀ । ଦିଲ୍ଲୀରେ ୫ ସେପ୍ଟେମ୍ବରରେ ଓଭରଲୋଡିଙ୍ଗ ହେବା ଫଳରେ ତାଙ୍କ ଉପରେ ୧ଲକ୍ଷ ୪୧ ହଜାର ୭୦୦ ଟଙ୍କା ଫାଇନ କଟାଯାଇଥିଲା । ଗତ ଗୁରୁବାର ଓଭରଲୋଡିଂ ପାଇଁ ଦିଲ୍ଲୀ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଓ୍ଵିଙ୍ଗ ଟ୍ରକକୁ ଧରିବା ସହ ଏହି ଫାଇନ ପକାଇଥିଲା ।
ଏହା ପରେ ଦିଲ୍ଲୀ ରୋହିନୀ କୋର୍ଟରେ ଟ୍ରକ୍ ଚାଳକ ୧ଲକ୍ଷ ୪୧ ହଜାର ୭୦୦ ଟଙ୍କା ଫାଇନ ଭରିଛନ୍ତି । ଦେଶରେ ଏହା ସର୍ବାଧିକ ଫାଇନ ବୋଲି କୁହାଯାଉଛି । ନୂଆ ମୋଟର ଭେହିକିଲ ଆକ୍ଟ ଅନୁସାରେ ଫାଇନ ଆଦାୟ ହୋଇଛି । ଏହି ନିୟମ ଅନୁସାରେ ଟ୍ରକରେ ଓଭର ଲୋଡିଂ କଲେ ୨୦ ହଜାର ଟଙ୍କାର ଫାଇନ ରହିଛି । ଏଥିସହ ପ୍ରତି କ୍ୱିଣ୍ଟାଲ ପିଛା ଅତିରିକ୍ତ ୨ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ ।