ଘନ କୁହୁଡ଼ି ଯୋଗୁ ଦିଶିଲାନି ବାଟ; ଯମୁନା ଏକ୍ସପ୍ରେସ୍‌-ୱେରୁ ୪୦ ଫୁଟ୍‌ ତଳକୁ ଖସିଲା ଟମାଟୋ ବୋଝେଇ ଟ୍ରକ୍‌, ୨ ଗୁରୁତର

ଘନ କୁହୁଡ଼ି ଯୋଗୁ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ମାମଲା ସାମ୍ନାକୁ ଆସୁଛି। ଗତ ସନ୍ଧ୍ୟା ପରଠାରୁ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା, ନୋଏଡା ସମେତ ଅନେକ ଅଞ୍ଚଳରେ ଘନ କୁହୁଡ଼ି ଛାଇ ରହିଛି। ଗ୍ରେଟର ନୋଏଡାରେ ଯମୁନା ଏକ୍ସପ୍ରେସ୍‌ େଓ୍ଵର ଜିରୋ ପଏଣ୍ଟରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଟମାଟୋ ବୋଝେଇ ଏକ ଟ୍ରକ୍‌ ବ୍ରିଜ୍‌ର ପ୍ରାୟ ୪୦ ଫୁଟ୍‌ ତଳକୁ ଖସି ପଡ଼ିଛି। ଏଥିରେ ଟ୍ରକ ଡ୍ରାଇଭର ଓ କ୍ଲିନରଙ୍କୁ ଗୁରୁତର ଆଘାତ ଲାଗିଛି। ସେମାନଙ୍କୁ ଗ୍ରେଟର ନୋଏଡାର ଜିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଭୋର୍‌ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସଫିପୁର ସର୍ଭିସ୍‌ ରୋଡ୍‌ ନିକଟ ଜିରୋ ପଏଣ୍ଟରେ ଟ୍ରକ୍‌ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ମଧ୍ୟ ପ୍ରଦେଶର ଶିବପୁରୀରୁ ଟମାଟୋ ବୋଝେଇ ଏକ ଟ୍ରକ୍‌ ଆଗ୍ରା ଦେଇ ମେରଠ ଅଭିମୁଖେ ଯାଉଥିଲା। ଆଗ୍ରାରୁ ପରୀଚୌକରେ ଓହ୍ଲାଇବା ସାଇଡ୍‌ରୁ ଟ୍ରକ୍‌ ଫ୍ଲାଏଓଭରରୁ ତଳକୁ ଖସି ପଡ଼ିଥିଲା।

କୁହୁଡ଼ି ଏତେ ଅଧିକ ଥିଲା ଯେ ଟ୍ରକ୍‌ ଡ୍ରାଇଭରଙ୍କୁ ଏକ୍ସପ୍ରେସ୍‌ େଓ୍ଵରେ ବୁଲାଣି ଦେଖାଯାଇ ନ ଥିଲା ଏବଂ ଟ୍ରକ୍‌ଟି ଗ୍ରିଲ୍‌ ଭାଙ୍ଗି ଯମୁନା ଏକ୍ସପ୍ରେସ୍‌ େଓ୍ଵରୁ ତଳକୁ ଖସି ପଡ଼ିଥିଲା। ଏହି ସମୟରେ ଟ୍ରକ୍‌ ପାଖାପାଖି ୪୦ ଫୁଟ୍‌ ତଳକୁ ଖସିପଡ଼ି ଭୟଙ୍କର କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଦାନିଶ୍‌ ଓ କ୍ଲିନର ରିହାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଜିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି।

Leave A Reply

Your email address will not be published.