ଭୋପାଳ: ଭିଜିଟ୍ ସାରି ଫେରୁଥିବା ବେଳେ କଲେଜ ବସକୁ ଧକ୍କା ଦେଲା ଟ୍ରକ୍, ୧ ମୃତ, ୩୫ ଛାତ୍ରଛାତ୍ରୀ ଆହତ
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ପ୍ରଫେସରଙ୍କ ସମେତ ୩୫ ଜଣ ଆହତ ହୋଇଛନ୍ତି । ଭୋପାଳର ଭୌରୀ ବାଇପାସ୍ ପଛରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଏକ କଲେଜ ବସକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା । ଧକ୍କା ହେବା ପରେ ଟ୍ରକଟି ବସକୁ କିଛି ଦୂର ପର୍ଯ୍ୟନ୍ତ ଟାଣି ନେଇଥିଲା ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ବସର ପଛ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର୍ ହୋଇଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଆହତ ଛାତ୍ରଛାତ୍ରୀମାନଙ୍କୁ ବସରୁ ବାହାର କରିଥିଲେ । ଏହାରି ଭିତରେ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । ପୋଲିସ ପହଞ୍ଚି ଆହତ ପ୍ରଫେସରଙ୍କ ସହ ଛାତ୍ରଛାତ୍ରୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।
ଅପରାହ୍ନ ପ୍ରାୟ ୨ଟାରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ଏକ ଇଞ୍ଜିନିୟରିଂ କଲେଜର ବୋଲି ଜଣାପଡ଼ିଛି । ଛାତ୍ରଛାତ୍ରୀମାନେ ଏକ ପ୍ଲାଣ୍ଟ୍ ପରିଦର୍ଶନ କରିବାକୁ ଯାଇଥିଲେ । ଭିଜିଟରୁ ଫେରୁଥିବା ବେଳେ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ବସରେ ୫୧ ପିଲା, ୪ ଷ୍ଟାଫଙ୍କ ସମେତ ମୋଟ ୫୫ ଜଣ ଥିଲେ ।
ଗୁରୁତର ଅବସ୍ଥାରେ ବୀରସିଂହପୁର ପାଲିର ଛାତ୍ର ଭିନିତ୍ ସାହୁଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବର୍ତ୍ତମାନ ଡାକ୍ତରୀ ଟିମ୍ ସେମାନଙ୍କ ଚିକିତ୍ସା କରୁଛି ।
ସେପଟେ ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ପୋଲିସ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଟ୍ରକ୍ ଓଭର ସ୍ପିଡରେ ଥିଲା ଏବଂ ଏହା ବସ ପଛଭାଗକୁ ଜୋରରେ ଧକ୍କା ଦେଇଥିଲା ।