ଔଷଧ ଆମଦାନୀ ଉପରେ ବଡ଼ ଟିକସ ନେଇ ଟ୍ରମ୍ପଙ୍କ ଘୋଷଣା, ପ୍ରଭାବିତ ହେବେ ଭାରତୀୟ ଔଷଧ ନିର୍ମାତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟ ୧୮୦ ଦେଶ ଉପରେ ଲାଗୁ କରିଥିବା ପାରସ୍ପରିକ ଟାରିଫ ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଭାରତ ଉପରେ ଲାଗୁ ହୋଇଥିବା ୨୬ ପ୍ରତିଶତ ଟାରିଫ ସକାଳ ୯.୩୧ ରେ କାର୍ଯ୍ୟକାରୀ ହୋଇଛି ।

ଭାରତ ଉପରେ ଲାଗୁ ହୋଇଥିବା ଏହି ଟାରିଫ ପରେ, ଆଜିଠାରୁ ଆମେରିକାରେ ରପ୍ତାନୀ ହେଉଥିବା ପ୍ରତ୍ୟେକ ଭାରତୀୟ ସାମଗ୍ରୀ ଉପରେ ୨୬% ଟାରିଫ ଲାଗୁ ହେବ । ଏଥି ସହ କୁହାଯାଉଛି ଯେ ଏହି ଶୁଳ୍କ ଭାରତ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

ଆମେରିକାରେ ଭାରତୀୟ ସମାଗ୍ରୀ ଉପରେ ୨୬% ଟାରିଫ ଲାଗୁ କରିବା ଦ୍ବାରା, ସେହି ସାମଗ୍ରୀର ମୁଲ୍ୟ ନିଶ୍ଚିତ ଭାବରେ ବୃଦ୍ଧି ପାଇବ । ଏଥି ସହ ଜାଣି ରଖନ୍ତୁ ଯେ ଭାରତର ପ୍ରମୁଖ ରପ୍ତାନି କ୍ଷେତ୍ରଗୁଡିକ ହେଉଛି ଇଲେକ୍ଟ୍ରୋନିକ୍ସ, ମଣି ଏବଂ ଅଳଙ୍କାର, ଅଟୋମୋବାଇଲ୍ ଏବଂ ଟେକ୍ସଟାଇଲ୍ ।

ଟ୍ରମ୍ପଙ୍କ ପାରସ୍ପରିକ ଟାରିଫ ଔଷଧ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ । ଭାରତରୁ ଅମେରିକାକୁ ଶସ୍ତା ଔଷଧ ଯାଏ । ଆମେରିକା ଭାରତରୁ ୧୨ ବିଲିୟନ୍ ଡଲାରରୁ ଅଧିକ ମୂଲ୍ୟର ଔଷଧ ଏବଂ ଫାରମା ପ୍ରଡକ୍ଟ ଆମଦାନୀ କରେ । ୨୦୨୩-୨୪ ମସିହାରେ ଆମେରିକା ସହିତ ଭାରତର ଟ୍ରେଡ୍ ସରପ୍ଲସ୍ ୩୫.୩୨ ବିଲିୟନ୍ ଥିଲା । ଟାରିଫ ଦ୍ବାରା ଏହି ସରପ୍ଲେସ୍ କମ୍ ହୋଇପାରେ ।

ବାଣିଜ୍ୟ ମନ୍ତ୍ରଣାଳୟ ଅନୁସାରେ, ଭାରତର ରପ୍ତାନି ୭୩.୭ ବିଲିୟନ୍ ଡଲାରର ହୋଇଥିବାବେଳେ ଆମେରିକାରୁ ଆମଦାନି ୩୯.୧ ବିଲିୟନ୍ ଡଲାର ହୋଇଛି । ହେଲେ ଆମେରିକୀୟ ସରକାରଙ୍କ ସଂଖ୍ୟା ଏଥିରୁ ଭିନ୍ନ । ଆମେରିକା ଏହା ଦର୍ଶାଉଛି ଯେ ଭାରତର ରପ୍ତାନି ୯୧.୨ ବିଲିୟନ୍ ଡଲାର ଏବଂ ଆମଦାନୀ ୩୪.୩ ବିଲିୟନ୍ ଡଲାର୍ ରହିଛି ।

ଆମେରିକା ସହିତ କାରବାର କରିବା ଭାରତ ପାଇଁ ଏକ ଲାଭଦାୟକ ଚୁକ୍ତି ହୋଇଛି । କାରଣ ଏହାର ଆମଦାନୀ କମ୍ ଏବଂ ରପ୍ତାନୀ ଅଧିକ । ଏଥି ସହ ଟାରିଫ ଦ୍ବାରା ଏକ୍ସପୋର୍ଟ କମ୍ ହୋଇପାରେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ବନ୍ଧୁତା ରହିଛି । ଦୁହେଁ ପରସ୍ପରକୁ ଭଲ ବନ୍ଧୁ ବୋଲି ମଧ୍ୟ ଡାକୁଛନ୍ତି । ‘ହାଉଡି ମୋଦି’ ଏବଂ ‘ ନମସ୍ତେ ଟ୍ରମ୍ପ’ ରାଲିକୁ ମଧ୍ୟ ଏହାର ବଳିଷ୍ଠ ଉଦାହରଣ ଭାବରେ ବିବେଚନା କରାଯାଏ । କିନ୍ତୁ ଟ୍ରମ୍ପ ଅନେକ ଥର ଭାରତକୁ ଶୁଳ୍କ ରାଜା ବୋଲି କହିଛନ୍ତି । ଟ୍ରମ୍ପ କହିଥିଲେ ଯେ ଭାରତ ବହୁତ ଅଧିକ ଟାରିଫ ଲଗାଏ ଏବଂ ଏହା ବହୁତ ନିଷ୍ଠୁର । ଏପରି ପରିସ୍ଥିତିରେ, ଟ୍ରମ୍ପ ଭାରତ ଉପରେ ୨୬% ପାରସ୍ପରିକ ଶୁଳ୍କ ଲାଗୁ କରିଛନ୍ତି ।

ବିଶ୍ୱ ବାଣିଜ୍ୟ ସଂଗଠନ (WTO)ର ତଥ୍ୟ ଅନୁଯାୟୀ, ଭାରତରେ ହାରାହାରି ଶୁଳ୍କ ସର୍ବାଧିକ । ଭାରତରେ ହାରାହାରି ଟାରିଫ ୧୭% ଥିବା ବେଳେ ଆମେରିକାରେ ଏହା ମାତ୍ର ୩.୩ % ରହିଛି । ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (GTRI) ରିପୋର୍ଟ ଅନୁଯାୟୀ, ଭାରତରେ ଆମେରିକାରୁ ଆସୁଥିବା ଖାଦ୍ୟ ସାମଗ୍ରୀ, ମାଂସ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉପରେ ୩୭.୬୬ % ଟାରିଫ ଲାଗୁ ହୋଇଥାଏ, ଯେତେବେଳେ ଭାରତ ପୂର୍ବରୁ ଆମେରିକାରେ ସମାନ ସାମଗ୍ରୀ ଉପରେ ୫.୨୯ % ଟାରିଫ ଦେଉଥିଲା ।

ଏପର୍ଯ୍ୟନ୍ତ, ଭାରତ ଅଟୋମୋବାଇଲ ଉପରେ ୨୪.୧୪% ଟାରିଫ ଲାଗୁ କରିଆସୁଥିବା ବେଳେ ଆମେରିକା ୧.୦୫% ଟାରିଫ ଲାଗୁ କରୁଛି । ଭାରତ ମଦ ଉପରେ ୧୨୪.୫୮ % ଶୁଳ୍କ ଆଦାୟ କରୁଥିବା ବେଳେ ଆମେରିକା ୨.୪୯ % ଟାରିଫ ଆଦାୟ କରେ । ଆମେରିକାରେ ସିଗାରେଟ୍ ଏବଂ ତମାଖୁ ଉପରେ ୨୦୧.୧୫ % ଏବଂ ଭାରତରେ ୩୩% ଟାରିଫ ଅଛି ।

ଏଥି ସହ ଜାଣି ରଖନ୍ତୁ ଯେ ଆଜିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଟାରିଫ ସମ୍ପର୍କରେ ଭାରତର ରଣନୀତି ଉପରେ କେନ୍ଦ୍ର କ୍ୟାବିନେଟ ଆଲୋଚନା କରିପାରେ । କୁହାଯାଉଛି ଯେ ସରକାର ଏ ବିଷୟରେ ରପ୍ତାନିକାରୀଙ୍କ ସହ ଏକ ବୈଠକ ମଧ୍ୟ କରିପାରେ ।