ଭାରତ ଉପରେ ୨୬ % ପାଲଟା ଶୁଳ୍କ ଲଗାଇଲା ଆମେରିକା: ଇଲେକ୍ଟ୍ରୋନିକ୍ସ, ଆଇଟି, ଟେକ୍ସଟାଇଲ କ୍ଷେତ୍ର ହେବ ପ୍ରଭାବିତ

ଭାରତ ଉପରେ ଟ୍ରମ୍ପଙ୍କ ୨୬ ପ୍ରତିଶତ ପାଲଟା ଶୁଳ୍କ । ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ମୁକ୍ତି ଦିବସ ଘୋଷଣା କାର୍ଯ୍ୟକ୍ରମର ଅଂଶ ଭାବରେ ନୂତନ ପାରସ୍ପରିକ ଶୁଳ୍କ ଘୋଷଣା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଭାରତ ଉପରେ ୨୬ ପ୍ରତିଶତ ରେସିପ୍ରୋକାଲ ଟାରିଫ ଲଗାଇବାର ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଆମେରିକାରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ଭାରତ ୫୨ ପ୍ରତିଶତ ଶୁଳ୍କ ଆଦାୟ କରୁଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ମୋର ଜଣେ ଭଲ ବନ୍ଧୁ, କିନ୍ତୁ ଟାରିଫ କ୍ଷେତ୍ରରେ ଭାରତ ଆମକୁ ଉଚିତ ବ୍ୟବହାର କରୁନାହିଁ ।

ତେବେ ଟ୍ରମ୍ପଙ୍କ ଟାରିଫ ଯୋଗୁଁ ଭାରତର ଜିଡିପି ଉପରେ ପ୍ରାୟ ୨ ଲକ୍ଷ ୬୬ ହଜାର କୋଟି ଟଙ୍କାର ପ୍ରଭାବ ପଡ଼ିପାରେ। ଇଲେକ୍ଟ୍ରୋନିକ୍ସ, ଆଇଟି, ଟେକ୍ସଟାଇଲ ଆଦି କ୍ଷେତ୍ର ପ୍ରଭାବିତ ହୋଇପାରେ । ୨୦୨୪ରେ ଭାରତର ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ୩୨ ପ୍ରତିଶତ ରପ୍ତାନୀ ଆମେରିକାକୁ କରିଥିଲା । ତେଣୁ ଇଲେକ୍ଟ୍ରୋନିକ୍ସି କ୍ଷେତ୍ର ପ୍ରଭାବିତ ହୋଇପାରେ । ୨୦୨୪ରେ ଆମେରିକାକୁ ୮୨ ହଜାର ୫୬୦ କୋଟି ଟଙ୍କାର ଟେକ୍ସଟାଇଲ ରପ୍ତାନୀ କରିଥିଲା ଭାରତ। ତେଣୁ ଟେକ୍ସଟାଇଲ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇପାରେ। କିନ୍ତୁ ଆମେରିକା ଟେକ୍ସଟାଇଲ ବଜାରରେ ଚୀନ ଓ ଭିଏତନାମ ସାମଗ୍ରୀର ସେୟାର ଅଧିକ ରହିଛି। କିନ୍ତୁ ଉଭୟ ଦେଶ ଉପରେ ଭାରତଠାରୁ ଅଧିକ ଟିକସ ଲାଗିଥିବାରୁ, ଭାରତ ସାମଗ୍ରୀର ଚାହିଦା ବଢିବା ସମ୍ଭାବନା ରହିଛି। ଭାରତରୁ ୫୭ ପ୍ରତିଶତ ପଲିସଡ ଡାଇମଣ୍ଡ ଆମେରିକାକୁ ରପ୍ତାନୀ ହୁଏ। ଏହା ଉପରେ କୌଣସି ଟିକସ ପଡୁ ନଥିଲା। ଏବେ ଟିକସ ପଡିଲେ, ଭାରତୀୟ ହୀରା ବ୍ୟବସାୟ କ୍ଷତି ସହିବା ଆଶଙ୍କା ରହିଛି । କିନ୍ତୁ ସୁନାରୂପା ଏବଂ ଫାର୍ମା ସେକ୍ଟର ଉପରେ ଟାରିଫ ଲାଗି ନାହିଁ।

ସେହିପରି ହ୍ବାଇଟ୍ ହାଉସରେ ଆୟୋଜିତ ମେକ ଆମେରିକା ୱେଲଦି ଏଗେନ୍ କାର୍ଯ୍ୟକ୍ରମରେ ସେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇଛନ୍ତି। ଅନ୍ୟ ଦେଶ ଉପରେ ୧୦ ପ୍ରତିଶତ ନ୍ୟୁନତମ ଟାରିଫ ଲଗାଇବାର ଘୋଷଣା ମଧ୍ୟ କରିଛନ୍ତି । ଯାହା ଫଳରେ ଆମେରିକାର ଅର୍ଥ ବ୍ୟବସ୍ଥାକୁ ମଜଭୁତ କରାଯାଇପାରିବ ବୋଲି ସେ କହିଛନ୍ତି । ଟ୍ରମ୍ପ ୟୁରୋପୀୟ ସଂଘ ସହିତ ୨୫ଟି ଦେଶ ଉପରେ ମଧ୍ୟ ରେସିପ୍ରୋକାଲ ଟିକସ ଲଗାଇଛନ୍ତି । ଟ୍ରମ୍ପ ଚୀନ୍ ଉପରେ ୩୪ ପ୍ରତିଶତ, ୟୁରୋପୀୟ ସଂଘ ଉପରେ ୨୦ ପ୍ରତିଶତ, ଭିଏତନାମ ଉପରେ ୪୬ ପ୍ରତିଶତ, ତାଇୱାନ ଉପରେ ୩୨ ପ୍ରତିଶତ ଓ ଜାପାନା ଉପରେ ୨୪ ପ୍ରତିଶତ ପାଲଟା ଟିକସ ଲଗାଇଛନ୍ତି । ଅଟୋମୋବାଇଲ କ୍ଷେତ୍ର ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ପାଇଁ ଘୋଷଣା କରିଛନ୍ତି ଟ୍ରମ୍ପ । ଟ୍ରମ୍ପ ଏହି ଟାରିଫକୁ ”ଆମେରିକାର ଆର୍ଥୀକ ସ୍ବତନ୍ତ୍ରତା”ର ଘୋଷଣା ବୋଲି କହିଛନ୍ତି । ଆମେରିକା ଶିଳ୍ପ ଓ ବାଣିଜ୍ୟ ଜଗତକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଟ୍ରମ୍ପ ଏହି ନୀତି ଘୋଷଣା କରିଛନ୍ତି ।

 

ଆହୁରି ପଢ଼ନ୍ତୁ : ଲୋକସଭାରେ ୱାକଫ ସଂଶୋଧନ ବିଲ୍ ପାରିତ, ସପକ୍ଷରେ ପଡିଲା ୨୮୮ ଭୋଟ୍‌