ସିରିଆ ଯୁଦ୍ଧରେ ଏଣ୍ଟ୍ରି କଲା ତୁର୍କୀ, ଆମେରିକା ଓ ଇସ୍ରାଏଲ ପରେ କରୁଛି ଏୟାର ଷ୍ଟ୍ରାଇକ୍
ସିରିଆ ଯୁଦ୍ଧରେ ଏଣ୍ଟ୍ରି କଲା ତୁର୍କୀ । ଆମେରିକା ଓ ଇସ୍ରାଏଲ ପରେ ତୁର୍କୀ ଆରମ୍ଭ କରିଛି ସିରିଆରେ ଏୟାର ଷ୍ଟ୍ରାଇକ୍ । ଆତଙ୍କୀ ଗୋଷ୍ଠୀକୁ ଟାର୍ଗେଟ କରି ଇସ୍ରାଏଲ ଏଭଳି ରକେଟ ମାଡ କରିଥିବା ତୁର୍କୀ ପକ୍ଷରୁ କୁହାଯାଇଛି । ସିରିଆରେ ଗୃହ ଯୁଦ୍ଧ ଯୋଗୁଁ ଏଭଳି ସ୍ଥିତିର ଫାଇଦା ନେଇପାରନ୍ତି ଆତଙ୍କୀ ଗୋଷ୍ଠୀ । ସିରିଆର ଶାସନ କଳକୁ ହାତକୁ ନେଇପାରନ୍ତି । ତେଣୁ ତାକୁ ପ୍ରତିହତ କରିବାକୁ ଯାଇ ତୁର୍କୀ ଏଭଳି ପଦକ୍ଷେପ ନେଇଛି । ସେପଟେ ସିରିଆ ସ୍ଥିତି ଉପରେ ନଜର ରଖିଛି ଇସ୍ରାଏଲ । ବଫର ଜୋନ ଗୋଲାନ ହାଇଟ୍ସକୁ ଅକ୍ତିଆର କରିବାକୁ ଇସ୍ରାଏଲ ଉଦ୍ୟମ ଜାରି ରଖିଥିବା ବେଳେ ସିରିଆ ଉପରେ ଆମେରିକା ମଧ୍ୟ ଏୟାର ଷ୍ଟ୍ରାଇକ ଜାରି ରଖିଛି । ଡଜନରୁ ଅଧିକ ବିମାନରେ ଆକ୍ରମଣ ହୋଇଛି । ଆତଙ୍କବାଦୀ ସଂଗଠନ ISISର ଆଡ୍ଡାକୁ ଟାର୍ଗେଟ କରାଯାଇଛି । କେନ୍ଦ୍ରୀୟ ସିରିଆରେ ୭୫ ଟାର୍ଗେଟକୁ ହିଟ କରାଯାଇଥିବା ପେଣ୍ଟାଗନ କହିଛି । B-52, F-15 ଓ A-10 ବିମାନରୁ ଘନ ଘନ ବୋମାମାଡ ହୋଇଛି । ଏଥିରେ ISISର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ସିରିଆ ଅସ୍ଥିରତାର ସୁଯୋଗ ନେଇ ISIS ଯେଭଳି ତା ଶକ୍ତି ନ ବଢାଉ ସେଥିପାଇଁ ଏୟାର ଷ୍ଟ୍ରାଇକ ହୋଇଥିବା ବାଇଡେନ କହିଛନ୍ତି । ସିରିଆରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଏହାର ସୁଯୋଗ ଆତଙ୍କୀ ସଂଗଠନ ISIS ନ ନେବା ଉପରେ ବାଇଡେନ ଗୁରୁତ୍ବ ଦେଇଛନ୍ତି ।
ଏପଟେ ରାଷ୍ଟ୍ରପତି ବଶାର ଅଲ୍-ଅସାଦଙ୍କ ଶାସନର ଅନ୍ତକୁ ଐତିହାସିକ ସୁଯୋଗ କହିଛନ୍ତି ବାଇଡେନ୍ । ଆମେରିକାର ବିଦେଶ ନୀତି ଯୋଗୁଁ ରୁଷ ଓ ଇରାନର ଶକ୍ତି କ୍ଷୟ ହୋଇଥିବା ବାଇଡେନ୍ କହିଛନ୍ତି । ସେପଟେ ବିଦ୍ରୋହୀମାନେ ଦାମାସ୍କସ ଅକ୍ତିଆର କରିନେବା ପରେ ଦେଶ ଛାଡି ଚାଲିଯାଇଛନ୍ତି ସିରିଆ ରାଷ୍ଟ୍ରପତି । ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଅସଦ ଓ ତାଙ୍କ ପରିବାରକୁ ରୁଷ ରାଜନୈତିକ ଆଶ୍ରୟ ଦେଇଥିବା ରୁଷର ମିଡିଆ ଦାବି କରିଛି । ସିରିଆରେ ୨୪ ବର୍ଷ ଧରି ଚାଲିଥିବା ବଶର ଅଲ୍ ଅସଦ୍ଙ୍କ ଶାସନର ଅନ୍ତ ଘଟିଛି । ଏହାରି ଭିତରେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ଯେ, ସିରିଆର ଆଗାମୀ ଶାସକ କିଏ ହେବ । କିଏ କରିବ ବିଶ୍ୱର ଏହି ପ୍ରାଚୀନ ଦେଶ ଉପରେ ଶାସନ । ଏଭଳି ପରିସ୍ଥିତିରେ ଦେଶର ଆର୍ଥିକ ସ୍ଥିତି ଲଗାତାର ତଳକୁ ଖସିବାରେ ଲାଗିଛି ।