ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ: ୭.୮ ତୀବ୍ରତାର ଭୂମିକମ୍ପରେ ଭାଙ୍ଗିଗଲା ଅନେକ ବିଲିଡିଂ, ୫୦ ମୃତ

ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ । ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି । ସ୍ଥାନୀୟ ସମୟ ଭୋର୍ ୪ଟା ୧୭ ମିନିଟରେ ହୋଇଥିଲା ଭୂକମ୍ପ । ଦକ୍ଷିଣପୂର୍ବ ତୁର୍କୀର ଗାଜିଆନଟେପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ଅନେକ କୋଠା ନଷ୍ଟ ହୋଇଥିବା ବେଳେ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ରାଜଧାନୀ ଆନକାରା ସମତେ ଅନେକ ସହରରେ ଭୂକମ୍ପ ଅନୁଭୂତ ହୋଇଛି । ଏତେ ଜୋରରେ କମ୍ପନ ହୋଇଥିଲା ଯେ ବଡ଼ ବଡ଼ ବିଲଡିଂ ଓ ଆର୍ପାଟମେଣ୍ଟ ଭୁଶୁଡି ପଡିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଚିତ୍ର ଦର୍ଶାଉଛି କେତେ ବିଧ୍ୱଂସକାରୀ ହୋଇଥିବ ଭୂମିକମ୍ପ । ବିଲ୍ଡିଂ ତଳେ ବହୁ ଲୋକ ଫସି ରହିଥିବା ସୂଚନା ମିଳିଛି । ଭୂକମ୍ପ ପରେ ଦେଶରେ ଜାରି ହୋଇଛି ହାଇଆଲର୍ଟ । ପ୍ରବଳ କ୍ଷୟକ୍ଷତି ଆଶଙ୍କା କରାଯାଉଛି।

ଗାଜିଆନଟେପ ସିରିୟା ସୀମାକୁ ଲାଗି ରହିଛି। ଆଜି ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲେବାନନ, ସିରିୟା ଓ ସାଇପ୍ରସରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।

ତୁର୍କୀ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇନାହିଁ କି ମୃତାହତଙ୍କ ସଂପର୍କରେ କିଛି ସୂଚନା ଦିଆଯାଇନାହିଁ। ତେବେ ତୁର୍କୀର ଇଜାମିର ସହର ବେଶ ପ୍ରଭାବିତ ହୋଇଛି । ୧୭ଟି ବିଲିଡିଂ ଧ୍ୱଂସ ହୋଇଛି ।

୧୯୯୯ରେ ତୁର୍କୀର ଡସ୍ଜେ ବଡ଼ଧରଣର ଭୂମିକମ୍ପ ହୋଇଥିଲା। ଏହାର ତୀବ୍ରତା ୭.୪ ରହିଥିଲା। ଏଥିରେ ୧୭ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.