୧୨ ବର୍ଷର ବାଳକ ଆମ୍ବୁଲାନ୍ସକୁ ଦେଖାଇଲା ରାସ୍ତା, ପୁରସ୍କାର ଦ୍ବାରା କରାଗଲା ସମ୍ମାନିତ
କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପ୍ଳାବିତ ଗୋଟାଏ ପୋଲ ଉପରେ ଅଟକି ରହିଥିବା ଗୋଟାଏ ଆମ୍ବୁଲାନ୍ସକୁ ବାଟ କଢ଼େଇଛି ଜଣେ ୧୨ ବର୍ଷିୟ ବାଳକ। ବର୍ତ୍ତମାନ ଏହି ବାଳକର ସାହସିକତା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସାହସି ବାଳକ ଭେଙ୍କଟେଶ ରାୟଚୁର ଜିଲ୍ଲାର ହିରେରାୟନକୁମ୍ପି ଗାଁରେ ରହୁଛନ୍ତି। ରିପୋର୍ଟ ଅନୁଯାୟୀ ସେହି ସମୟରେ ଆମ୍ବୁଲାନ୍ସ ଭିତରେ ୬ ଜଣ ପିଲାଙ୍କ ସମେତ ଜଣେ ମୃତ ମହିଳାଙ୍କ ଶବ ରହିଥିଲା। ଭେଙ୍କଟେଶଙ୍କର ଏହି ସାହାସିକତା କାର୍ଯ୍ୟକୁ ଦେଖି ପ୍ରଶାସନ ପକ୍ଷରୁ ଗତକାଲି ତାଙ୍କୁ ୭୩ ତମ ସ୍ବାଧୀନତା ଦିବସରେ ପୁରସ୍କାର ଦିଆଯାଇ ସମ୍ମାନିତ କରାଯାଇଛି।
ଭେଙ୍କଟେଶ ସାଙ୍ଗମାନଙ୍କ ସହ ନଈକୂଳରେ ଖେଳୁଥିବା ବେଳେ ସାହାଯ୍ୟ କରିବା ପାଇଁ ତାଙ୍କୁ ଆମ୍ବୁଲାନ୍ସ୍ ଡ୍ରାଇଭର୍ ଡାକିଥିଲେ।
ଏହାପରେ ସେ ଅଣ୍ଟାଏ ପାଣିରେ ପଶି ଡ୍ରାଇଭରଙ୍କୁ ପୋଲ ପାରି ହେବାରେ ସାହାଯ୍ୟ କରିଥିଲେ। ଏହି ସମୟରେ ଜଣେ ଦେଖଣାହାରି ତାଙ୍କ ମୋବାଇଲ୍ ଫୋନ୍ରେ ଏହି ଦୃଶ୍ୟ ଉତ୍ତୋଳନ କରିଥିଲେ। ବାଟରେ ଅନେକ ଥର ଭେଙ୍କଟେଶ ଝୁଣ୍ଟି ପଡ଼ି ଯାଉଥିବାର ଦୃଶ୍ୟ ମଧ୍ୟ ଏହି ଭିଡିଓରେ ରହିଛି। ଶେଷରେ ଆମ୍ବୁଲାନ୍ସକୁ ପାରି କରିପାରିଥିଲେ ଭେଙ୍କଟେଶ।
ଏହାସହ ପଢନ୍ତୁ: ମାଉଣ୍ଟ କିଲିମଞ୍ଜାରୋରେ ଜାତୀୟ ପତାକା ଉଡ଼ାଇଲେ ପୁନେର ଏହି ୯ ବର୍ଷିୟ
ଏହା ପରେ ଆମ୍ବୁଲାନ୍ସ ନିକଟବର୍ତ୍ତୀ ଡାକ୍ତରଖାନାକୁ ଯାଇଥିଲା। ଘଟଣାଟି ପ୍ରଘଟ ହେବା ପରେ ସାହସିକ କାର୍ଯ୍ୟ ଓ ଉପସ୍ଥିତ ବୁଦ୍ଧି ପାଇଁ ସମସ୍ତେ ଭେଙ୍କଟେଶକୁ ପ୍ରଶଂସା କରିବା ସହ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି।