ଦେଶ ବିଭାଜନ ବେଳେ ହୋଇଥିଲେ ଅଲଗା, ଦୀର୍ଘ ୭୪ ବର୍ଷ ପରେ ଭେଟାଭେଟି ହେଲେ ଦୁଇ ଭାଇ

ନୂଆଦିଲ୍ଲୀ : ୧୯୪୭ ମସିହାରେ ଦେଶ ବିଭାଜନ ବେଳେ ଅଲଗା ହୋଇଥିଲେ ଦୁଇ ଭାଇ। ଦୁଇ ପୃଥକ ଭାଇଙ୍କ ପାଇଁ ପାକିସ୍ତାନର କର୍ତାରପୁର କରିଡର ପୁଣି ଏକ ଖୁସିର ଘଟଣା ଦେଖିବାକୁ ମିଳିଛି । ଦୀର୍ଘ ୭୪ ବର୍ଷ ପରେ ଦୁଇ ଭାଇ ଭେଟାଭେଟି ହୋଇଛନ୍ତି। ଭାରତ-ପାକିସ୍ଥାନ ବିଭାଜନ ସମୟରେ ଜଣେ ଭାଇ ତାଙ୍କ ପରିବାରଠାରୁ ଅଲଗା ଯୋଇଯାଇଥିଲେ । ଉଭୟ ଭାଇଙ୍କ ନାମ ମହମ୍ମଦ ସିଦ୍ଦିକି ଏବଂ ହବିବ। ସିଦ୍ଦିକି ପାକିସ୍ତାନର ଫଇସଲାବାଦରେ ଏବଂ ହବିବ ଭାରତର ପଞ୍ଜାବର ଫୁଲାନୱାଲାରେ ରୁହନ୍ତି।
ଯେତେବେଳେ ସେମାନେ କର୍ତାରପୁର କରିଡରରେ ଭେଟିଲେ, ସେତେବେଳେ ଦୁହେଁ ସେମାନଙ୍କର ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ପରସ୍ପର କନ୍ଦାକନ୍ଦି ହୋଇ ଆଲିଙ୍ଗନ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ପରିବାର ସଦସ୍ୟଙ୍କ ଆଖି ମଧ୍ୟ ଲୁହ ଭରି ଯାଇଥିଲା। ସେଠାରେ ଉପସ୍ଥିତ ଥିବା ସମସ୍ତେ ଲୋକମାନେ ଖୁସି ହୋଇଥିଲେ | ଏହି ସମୟ ମଧ୍ୟରେ ଦୁହେଁ ସେମାନଙ୍କର ପୁରୁଣା ସ୍ମୃତିକୁ ସତେଜ କରିଥିଲେ । ଦୁଇ ଭାଇ ଦୀର୍ଘ ୭୪ ବର୍ଷ ପରେ ପରସ୍ପରକୁ ଭେଟିବାର ସୁଯୋଗ ପାଇଥିବାରୁ ବେଶ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ରିପୋର୍ଟ ଅନୁଯାୟୀ, ମହମ୍ମଦ ସିଦ୍ଦିକ ପାକିସ୍ତାନର ଫୈସଲାବାଦରେ ରହୁଥିବା ବେଳେ ତାଙ୍କ ବଡ଼ ଭାଇ ଶେଲା ଭାରତର ପଞ୍ଜାବରେ ରୁହନ୍ତି। ଏବେ ଦୁଇ ଦେଶର ସରକାରଙ୍କ ଉଦ୍ୟମ ଯୋଗୁ ଦୁଇ ଭାଇ ଏକାଠି ହୋଇଛନ୍ତି। ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ମହମ୍ମଦ ଓ ଶେଲା ପରସ୍ପରକୁ ଭେଟିବା ପରେ ବେଶ ଭାବବିହ୍ୱଳ ହୋଇଥିଲେ। ଏପରି କି ଉଭୟ ଦୀର୍ଘ ସମୟ ପରସ୍ପରକୁ ଧରି କାନ୍ଦିବାରେ ଲାଗିଥିଲେ।
ଭାରତ ଓ ପାକିସ୍ତାନ ମିଳିତ ଭାବେ କର୍ତ୍ତାରପୁର କରିଡର ନିର୍ମାଣ କରିଛନ୍ତି। ୨୦୧୯ରୁ ଏହା କାର୍ଯ୍ୟକ୍ଷମ ହେଉଛି। କରିଡର ଯୋଗୁ ଭିସା ମୁକ୍ତ ଯାତ୍ରା ସମ୍ଭବ ହୋଇପାରୁଛି। ଏହି କରିଡର ଯୋଗୁ ଦୁଇ ଭାଇ ଏକାଠି ହୋଇଥିବାରୁ ସେମାନେ ଉଭୟ ଭାରତ ଓ ପାକିସ୍ତାନ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।
ସୂଚନାଯୋଗ୍ୟ, ଶିଖ୍ ଶ୍ରଦ୍ଧାଳୁଙ୍କ ପାଇଁ ଭାରତ ସରକାର ପାକିସ୍ତାନର ରବି ନଦୀ କୂଳରେ ଥିବା କର୍ତ୍ତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବ ଯାଏ କରିଡର୍ ନିର୍ମାଣ କରିଛନ୍ତି। ଏଥିରେ ପାକିସ୍ତାନ ମଧ୍ୟ ସହଯୋଗ କରିଥିଲା। ଏହି କରିଡର୍ଟି ପଞ୍ଜାବର ଗୁରୁଦାସପୁରଠାରୁ ଅନ୍ତର୍ଜାତୀୟ ସୀମା ଯାଏ ଲମ୍ବିଛି। କର୍ତ୍ତାରପୁର ସାହିବ ଅନ୍ତର୍ଜାତୀୟ ସୀମାର ବିପରୀତ ପାର୍ଶ୍ୱରେ ରହିଛି।
ଏଠାରେ ଗୁରୁ ନାନକ ଦେବ ବିଶ୍ରାମ କରିଥିଲେ। ତେଣୁ ଏହାକୁ ଶିଖ୍ ଧର୍ମାବଲମ୍ବୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଧର୍ମପୀଠ ଭାବେ ପରିଚିତ। ଶିଖ୍ ଶ୍ରଦ୍ଧାଳୁ ଯେଉଁଭଳି ଭାବେ ସହଜରେ ସେଠାକୁ ଯା’ଆସ କରିପାରିବେ, ସେଥିପାଇଁ ଭାରତ ସରକାର କରିଡର୍ ନିର୍ମାଣ କରିଛନ୍ତି। ଏହି କରିଡର୍ ନିର୍ମାଣ ପାଇଁ ସମସ୍ତ ଅର୍ଥ କେନ୍ଦ୍ର ସରକାର ବହନ କରିଛନ୍ତି ଓ ଏଥିରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି।