ସୀତାମଢ଼ିରେ ଜିଅନ୍ତା ଜଳିଗଲେ ୬ ବର୍ଷର ବାଳିକା ଓ ମୂକବଧୂର ଯୁବକ, ଏକାବେଳେ ବିସ୍ଫୋରଣ ହେଲା ୬ଟି ସିଲିଣ୍ଡର
ବିହାରର ସୀତାମଢ଼ିରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ହୋଟେଲରେ ଏକାବେଳେ ୬ଟି ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ବିହାରର ସୀତାମଢ଼ିରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ହୋଟେଲରେ ଏକାବେଳେ ୬ଟି ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବରରୁ ଜଣାପଡ଼ିଛି ଯେ ୨୨ ନମ୍ବର ଜାତୀୟ ରାଜପଥର ବରିୟାରପୁର ଫୋର୍ଲେନ ଚୌକ ନିକଟସ୍ଥ ହୋଟେଲରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି।
ବୁଧବାର ବିଳମ୍ବିତ ରାତିରେ ହୋଟେଲରେ ସିଲିଣ୍ଡର ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ସଂସ୍ପର୍ଶରେ ଆସି ପାଖରେ ଥିବା ୭ ଦୋକାନ ଜଳି ଛାରଖାର ହୋଇଯାଇଛି। ସେହିପରି ଅଗ୍ନିକାଣ୍ଡରେ ଦୋକାନରେ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଦୋକାନରେ ଶୋଇଥିବା ଜଣେ ମୂକବଧିର ଯୁବକ ଏବଂ ୬ ବର୍ଷର ବାଳିକା ଜୀବନ୍ତ ଜଳିଯାଇଛନ୍ତି।
କୁହାଯାଉଛି ଯେ ହୋଟେଲରେ ରଖାଯାଇଥିବା ୬ଟି ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ହୋଇଥିଲା। ଏଥିରୁ ନିଆଁ ଭୟଙ୍କର ଭାବେ ଚାରିଆଡ଼େ ବ୍ୟାପିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି କୌଣସି ପ୍ରକାରେ ନିଆଁକୁ ଆୟତ୍ତ କରିଥିଲେ।
ସେପଟେ ଘଟଣାକୁ ନିଶ୍ଚିତ କରି ସ୍ଥାନୀୟ ପୋଲିସ କହିଛି ଯେ ପୀଡ଼ିତାଙ୍କ ଆବେଦନକୁ ଅପେକ୍ଷା କରାଯାଇଛି। ଆବେଦନ ମିଳିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ।