ଭାରତୀୟ ସୈନ୍ୟ ଇତିହାସରେ ପ୍ରଥମ… ସ୍ଥଳ ଓ ନୌସେନା ମୁଖ୍ୟ ହେଲେ ଦୁଇ ସହପାଠୀ; ୫ମ ଶ୍ରେଣୀରୁ ବନ୍ଧୁତା
ଭାରତୀୟ ସୈନ୍ୟ ଇତିହାସରେ ପ୍ରଥମ ଥର ସ୍ଥଳ ଓ ନୌସେନା ମୁଖ୍ୟ ହେଲେ ଦୁଇ କ୍ଲାସ୍ମେଟ୍ । ଲେଫ୍ଟନାଣ୍ଟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଭାରତୀୟ ସେନାର ନୂତନ ମୁଖ୍ୟ ହୋଇଥିବା ବେଳେ ଆଡ୍ମିରାଲ ଦୀନେଶ ତ୍ରିପାଠୀ ନୌସେନାର ମୁଖ୍ୟ ରୂପେ ଦାୟିତ୍ୱ ନେଇସାରିଛନ୍ତି । ଦୁଇ ସହପାଠୀଙ୍କର ନିଯୁକ୍ତି ପାଖାପାଖି ୨ ମାସ ବ୍ୟବଧାନରେ ଗୋଟିଏ ହିଁ ସମୟରେ ହୋଇଛି । ଆଡ୍ମିରାଲ ଦୀନେଶ ତ୍ରିପାଠୀ ମେ’ ୧ରେ ନୌସେନାର କମାଣ୍ଡ ନିଜ ହାତକୁ ନେଇଥିଲେ । ଆଜି ଜୁନ୍ ୩୦ରେ ସ୍ଥଳସେନାରେ ନିଜର ନୂତନ ପଦ ସମ୍ଭାଳିବେ ଉପେନ୍ଦ୍ର ଦ୍ୱିବେଦୀ ।
ମଧ୍ୟ ପ୍ରଦେଶର ରିଭା ସ୍ଥିତ ସୈନିକ ସ୍କୁଲରୁ ଆସିଥିବା ଆଡ୍ମିରାଲ ଦୀନେଶ ତ୍ରିପାଠୀ ଓ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୧୯୭୦ ଦଶକ ଆରମ୍ଭରେ ଏକାଠି ମିଶି ୫ ଶ୍ରେଣୀରେ ପାଠ ପଢ଼ୁଥିଲେ । ଦୁଇ ଅଧିକାରୀଙ୍କ ରୋଲ୍ ନମ୍ବର ମଧ୍ୟ ପାଖାପାଖି ଥିଲା । ଉପେନ୍ଦ୍ର ଦ୍ୱିବେଦୀଙ୍କ ରୋଲ୍ ନମ୍ବର ୯୩୧ ଥିବା ବେଳେ ଦୀନେଶ ତ୍ରିପାଠୀଙ୍କର ଥିଲା ୯୩୮ । ସ୍କୁଲ ସମୟରୁ ହିଁ ଉଭୟ ପରସ୍ପରର ବହୁତ ଭଲ ସାଙ୍ଗ ଥିଲେ ।
ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ଏ ଭାରତ ଭୂଷଣ ବାବୁ ଏକ ଟ୍ଵିଟ୍ରେ କହିଛନ୍ତି ଯେ ‘ଦୁଇ ପ୍ରତିଭାବାନ୍ ଛାତ୍ରଙ୍କୁ ପ୍ରଶିକ୍ଷିତ କରିବାର ଏହି ଦୁର୍ଲ୍ଲଭ ସମ୍ମାନ ମଧ୍ୟ ପ୍ରଦେଶର ରିଭା ସୈନିକ ସ୍କୁଲକୁ ଯାଉଛି । ଦୁଇ ଛାତ୍ର ୫୦ ବର୍ଷ ପରେ ନିଜ ନିଜ ସେନାର ନେତୃତ୍ୱ ନେବେ’ ।
ବର୍ତ୍ତମାନ ସେନା ଉପମୁଖ୍ୟ ପଦରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ଆଜି ନିଜର ନୂତନ ପଦଭାର ଗ୍ରହଣ କରିବେ । ତାଙ୍କ ପୂର୍ବରୁ ଜେନେରାଲ ମନୋଜ ପାଣ୍ଡେ ଏହି ପଦରେ ରହିଥିଲେ । ସେନାର ଉପମୁଖ୍ୟ ହେବା ପୂର୍ବରୁ ସେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ଉଧମପୁରସ୍ଥିତ ଉତ୍ତର କମାଣ୍ଡର ‘ଜେନେରାଲ ଅଫିସର କମାଣ୍ଡିଙ୍ଗ୍ ଇନ୍ ଚିଫ୍ (GOC-in-C)’ ଥିଲେ ।