‘ଶବ ମୋର’…ଅଜଣା ଯୁବକଙ୍କ ମୃତଦେହକୁ ନେଇ ଦୁଇ ପରିବାର ମଧ୍ୟରେ ଟଣାଓଟରା; ପୋଲିସ ବି ହରଡ଼ଘଣାରେ!

ଗୋଟିଏ ମୃତଦେହକୁ ନେଇ ଦୁଇ ପରିବାର ମଧ୍ୟରେ ଟଣାଓଟରା। ଉତ୍ତର ପ୍ରଦେଶର ହରଦୋଇ ଅଞ୍ଚଳରୁ ଏମିତି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ କାସିମପୁର ଥାନା ଅଞ୍ଚଳରେ ୨୫ ଦିନ ପୂର୍ବରୁ ମିଳିଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ନେଇ ଦୁଇ ପରିବାର ମଧ୍ୟରେ ଟଣାଓଟରା ଲାଗିଛି, ଯଦ୍ଦ୍ଵାରା ପୋଲିସ ବି ହରଡ଼ଘଣାରେ ପଡ଼ି ଯାଇଛି।

ଖବରରୁ ଜଣାପଡ଼ିଛି, ଅଲ୍ଲୀପୁରର ଜଣେ ମହିଳା ମୃତ ଯୁବକଙ୍କୁ ନିଜ ପୁଅ ବୋଲି ଦାବି କରି ଗାଁର କିଛି ଲୋକଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଥିଲେ। ଆଉ ଏବେ ଉନ୍ନାଓ ଜିଲାର ଅନ୍ୟ ଏକ ପରିବାର ଏସ୍‌ପି ଅଫିସରେ ପହଞ୍ଚି ଶବ ତାଙ୍କର ବୋଲି କହିଛନ୍ତି। ପୋଲିସ ସୂଚନା ମୁତାବକ, ୧୨ ମାର୍ଚ୍ଚରେ ସ୍ଥାନୀୟ ଏକ ଗାଁ ନିକଟ ଗହମ ବିଲରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଥିଲା। ସେହି ସମୟରେ ମହିଳା ଜଣକ ନିଜ ପୁଅ ବୋଲି ଦାବି କରି ଅନ୍ତିମ ସଂସ୍କାର କର୍ମ ମଧ୍ୟ କରିଥିଲେ। ଜମି ବିବାଦକୁ ନେଇ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ସେ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ମାମଲା ବି ରୁଜୁ ହୋଇଥିଲା।

ଏବେ ଘଟଣାର ୨୫ ଦିନ ପରେ ଉନ୍ନାଓ ଅଞ୍ଚଳର ରଜନୀଶ ନାମକ ବ୍ୟକ୍ତି ଦାବି କରିଛନ୍ତି ଯେ ଏହି ମୃତଦେହ ତାଙ୍କ ବଡ଼ ଭାଇ ରାଜୁଙ୍କର। ଏ ନେଇ ସେ ଥାନାରେ ଏତଲା ଦେଇଥିଲେ, ଯେଉଁଥିରେ ଉଲ୍ଲେଖ କରିଥିଲେ କି, ତାଙ୍କ ଭାଇ ରାଜୁ ୩ ବର୍ଷ ପୂର୍ବେ ସୁମନଙ୍କୁ ପ୍ରେମ ବିବାହ କରିଥିଲେ। ଏପଟେ ସୁମନ ବି ଏସ୍‌ପି ଅଫିସ୍‌ ପହଞ୍ଚି ଶବ ତାଙ୍କ ସ୍ୱାମୀଙ୍କର ବୋଲି ଦାବି କରିଛନ୍ତି।

ସେ କହିଛନ୍ତି ଯେ ରାଜୁ ମହାରାଷ୍ଟ୍ରରେ ଚାକିରି କରୁଥିଲେ। ସେଠାରୁ କିଛି ଦିନ ପୂର୍ବେ ଶ୍ୱଶୁର ଘର ବୁଲିବାକୁ ଆସିଥିଲେ। ୪ ମାର୍ଚ୍ଚରେ ପରିବାର ଲୋକେ ରାଜୁଙ୍କୁ ଫୋନ କରି ଡକାଇଥିଲେ। ଏହାପରଠାରୁ ରାଜୁ ନିଖୋଜ ରହିଥିଲେ। ୧୨ ମାର୍ଚ୍ଚରେ ସେ ଏ ନେଇ ଥାନାରେ ଏତଲା ମଧ୍ୟ ଦାୟର କରିଥିଲେ।