ଉତ୍ତର ପ୍ରଦେଶ: ମାଲଗାଡ଼ିକୁ ଧକ୍କା ଦେଲା ମାଲଗାଡ଼ି, ଡ୍ରାଇଭର ଓ କୋ-ପାଇଲଟ୍ ଆହତ

ଉତ୍ତର ପ୍ରଦେଶର ଫତେହପୁରରେ ଏକ ରେଳ ଦୁର୍ଘଟଣା ଘଟିଛି । ଏଠାରେ ଗୋଟିଏ ହିଁ ଟ୍ରାକ୍ ଉପରେ ଆସୁଥିବା ଦୁଇଟି ମାଲଗାଡ଼ି ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଏକ ମାଲଗାଡ଼ିର ଇଞ୍ଜିନ୍ ଟ୍ରାକରୁ ଖସି କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଡ୍ରାଇଭର ଏବଂ କୋ-ପାଇଲଟ୍ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ରେଳୱେର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି । ଏହି ଦୁର୍ଘଟଣା ଜିଲ୍ଲାର ଖାଗା କୋତୱାଲିର ପାମ୍ଭିପୁର ନିକଟରେ ଘଟିଛି ।
ନିକଟରେ ହାୱଡାର ସନ୍ତରାଗାଛି ଓ ଶାଲିମାର ଷ୍ଟେସନ ମଧ୍ୟରେ ଦୁଇଟି ଟ୍ରେନ୍ ପରସ୍ପର ସହ ଧକ୍କା ହୋଇଥିଲା । ଫଳରେ ୩ଟି ବଗି ଲାଇନଚ୍ୟୁତ ହୋଇଥିଲା । ଖବର ମୁତାବକ, ସନ୍ତରାଗାଛି ତିରୁପତି ଏକ୍ସପ୍ରେସ୍ ସନ୍ତରାଗାଛିରୁ ଶାଲିମାର ଯାଉଥିବା ବେଳେ ସାଇଡ୍ ଲାଇନରେ ଗୋଟିଏ ଇଞ୍ଜିନ ଦୁଇଟି ବଗିକୁ ଟାଣୁଥିଲା । ଫଳରେ ଦୁଇଟି ଯାକ ଟ୍ରେନ୍ ସାମ୍ନାସାମ୍ନି ହୋଇଥିଲେ । ଏହି କାରଣରୁ ୩ଟି ବଗି ଲାଇନଚ୍ୟୁତ ହୋଇଥିଲା ।
ତିରୁପତି ଏକ୍ସପ୍ରେସର ଦୁଇଟି ବଗି ଏବଂ ଅନ୍ୟ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା । ଘଟଣା ପରେ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରିଥିଲେ ।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ଜଲଗାଓଁ ପରାଣ୍ଡା ରେଳ ଷ୍ଟେସନରେ ମଧ୍ୟ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଗୁଜବ ଯୋଗୁ ୧୩ ଜଣଙ୍କ ଜୀବନ ଚାଲିଯାଇଥିଲା । ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସ୍ ଜଲଗାଓଁ ଅତିକ୍ରମ କରୁଥିବା ବେଳେ ଗୋଟିଏ ବଗିରେ ନିଆଁ ଲାଗି ଯାଇଥିବା କଥା ପ୍ରଚାର କରାଯାଇଥିଲା । ନିଆଁ ଲାଗିବା କଥା ଶୁଣି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଏଥିପାଇଁ କିଛି ଯାତ୍ରୀ ଟ୍ରେନକୁ ଅଟକାଇବା ପାଇଁ ଚେନ୍ ଭିଡ଼ି ଦେଇଥିଲେ । ଜଲଗାଓଁରୁ ୨୦ କିମି ଦୂରରେ ପୁଷ୍ପକ ଏକ୍ସପ୍ରେସରୁ କିଛି ଯାତ୍ରୀ ନିଆଁ ଲାଗିଥିବା ଶୁଣି ଟ୍ରେନରୁ ଡେଇଁ ପଡ଼ିଥିଲେ । ଫଳରେ ଅନ୍ୟ ଟ୍ରାକରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ ସେମାନଙ୍କୁ ଧକ୍କା ଦେଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ପୁଣି ଏକ ଟ୍ରେନ ଦୁର୍ଘଟଣା, ହାୱଡାରେ ଦୁଇଟି ଟ୍ରେନ ଧକ୍କା, ୩ ବଗି ଲାଇନଚ୍ୟୁତ