ବଢୁଛି HMPV ସଂକ୍ରମଣ, ମହାରାଷ୍ଟ୍ର ନାଗପୁରରେ ପୁଣି ୨ ସଂକ୍ରମିତ ଚିହ୍ନଟ
ଭାରତରେ ମାଡିଚାଲିଛି ଚୀନ ଭାଇରସ HMPV । ବଢୁଛି ସଂକ୍ରମଣ । ଦେଶରେ ଆଉ ଦୁଇ ଜଣ HMPV ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକ ପରେ ମହାରାଷ୍ଟ୍ର ନାଗପୁରରୁ ୨ ସଂକ୍ରମିତ ଚିହ୍ନଟ । ୭ ବର୍ଷ ଓ ୧୩ ବର୍ଷ ବୟସର ୨ ଶିଶୁ HMPV ଆକ୍ରାନ୍ତ ରହିଛନ୍ତି । ବେଙ୍ଗାଳୁରୁରୁ ଚିହ୍ନଟ ହୋଇଥିଲା ପ୍ରଥମ ଓ ଦ୍ବିତୀୟ HMPV ଆକ୍ରାନ୍ତ । ଆଉ ୨ ଆକ୍ରାନ୍ତଙ୍କୁ ମିଶାଇ ଏପର୍ଯ୍ୟନ୍ତ ୮ ଜଣ ଚିହ୍ନଟ ହେଲେଣି ।
ନାଗପୁରର ଏକ ହସପିଟାଲରେ ଦୁଇ ପିଲାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଟେଷ୍ଟ ପରେ ୭ ବର୍ଷ ଏବଂ ୧୩ ବର୍ଷର ପିଲା ରିପୋର୍ଟ ପଜିଟିଭି ଆସିଥିଲା । ଦୁହେଁ କାଶ ଏବଂ ଜ୍ବରରେ ପୀଡିତ ଥିଲେ । ଗତକାଲି ଗୋଟିଏ ଦିନରେ ଦେଶରେ ୬ଶିଶୁ ପଜିଟିଭି ଚିହ୍ନଟ ହୋଇଥିଲେ । ସୋମବାର ବେଙ୍ଗାଳୁରୁରେ ୨ ଶିଶୁ, ଚେନ୍ନାଇରେ ୨ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ରେ ଆକ୍ରାନ୍ତ ହୋଇଛଥିବା ଖବର ସାମ୍ନାକୁ ଆସିଥିଲା । କୋଲକାତାରେ ମଧ୍ୟ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଥିଲା ।
ମହାରାଷ୍ଟ୍ର ସରକାର HMPV ଭାଇରସକୁ ନେଇ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ କହିବା ମୁତାବକ, ଏହି ଭାଇରସ ସଂକ୍ରମଣ କୋଭିଡ-୧୯ ଭଳି ସ୍ଥିତି ଆସିବ ନାହିଁ ।
ପରିସ୍ଥିତି ଉପରେ ନଜର ରଖିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । HMPV ସଂକ୍ରମଣ ନେଇ ଚୀନ କୌଣସି ତଥ୍ୟ ଦେଉ ନାହିଁ। ତେବେ ଭାରତ ସରକାର ସଂକ୍ରମଣର ମୁକାବିଲା ପାଇଁ ହାଇଆଲର୍ଟରେ ଅଛନ୍ତି ।
HMPV ଭାଇରସର ଲକ୍ଷଣ :
ସାଧାରଣତଃ କାଶିବା, ଛିଙ୍କିବା, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ଭାଇରସ ବ୍ୟାପିଥାଏ । HMPVର ଏରୋସୋଲ ସଂକ୍ରମଣ ଆଶଙ୍କା କମ୍ ଥିଲେ ବି କାଶ, ଛିଙ୍କ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ମାତ୍ର କିଛିଦିନ ମଧ୍ୟରେ ସାରା ପରିବାରକୁ ସଂକ୍ରମିତ କରିଥାଏ । HMPV ସଂକ୍ରମିତ ଜ୍ୱର, କଫ, କାଶ, ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଭୋଗିଥାନ୍ତି।
ଚୀନର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ମୁତାବକ, HMPV ଭାଇରସ୍ ସାଧାରଣ ଥଣ୍ଡା ପରି ଲକ୍ଷଣ ସୃଷ୍ଟି କରେ । ଛୋଟ ପିଲା, ବୃଦ୍ଧ ଏବଂ ଦୁର୍ବଳ ଇମ୍ୟୁନ୍ ସିଷ୍ଟମ୍ ଥିବା ଲୋକ ଏହାର ସବୁଠାରୁ ବଡ଼ ଶିକାର ହୋଇପାରନ୍ତି । ଏହା ନିମୋନିଆ ଏବଂ ବ୍ରୋଙ୍କିଓଲାଇଟିସ୍ ଭଳି ଗୁରୁତର ଶ୍ଵାସରୋଗ ମଧ୍ୟ ସୃଷ୍ଟି କରିପାରେ ।
ଚୀନରେ ଏହି ରୋଗ କୋଭିଡ୍-୧୯ ଭଳି ବିସ୍ତାର ହେବାରେ ଲାଗିଛି । ସଂକ୍ରମିତ ରୋଗୀ କାଶିଲେ କିମ୍ବା ଛିଙ୍କିଲେ HMPV ଅନ୍ୟ ଜଣଙ୍କୁ ବ୍ୟାପିପାରେ । ଜୀବାଣୁ ସଂକ୍ରମିତ ପୃଷ୍ଠକୁ ସ୍ପର୍ଶ କଲେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । HMPV ବ୍ୟତୀତ ଇନଫ୍ଲୁଏଞ୍ଜା ଏ, ମାଇକୋପ୍ଲାଜମା ନିମୋନିଆ ଏବଂ କୋଭିଡ୍-୧୯ ମାମଲା ବି ସାମ୍ନାକୁ ଆସୁଛି ।