ଦିଲ୍ଲୀର ଶାହଦରା ଅଞ୍ଚଳରେ ଶୁକ୍ରବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଠାରେ ଏକ ଘରେ ନିଆଁ ଲାଗି ମାଆ ଓ ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପରିବାରର ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦମକଳ ବିଭାଗ ଅନୁସାରେ, ଆଜି ସକାଳ ୫ଟା ୨୪ ମିନିଟ୍ରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଥିଲା । ଏହାପରେ ୬ଟି ଦମକଳ ଗାଡ଼ିକୁ ଘଟଣାସ୍ଥଳକୁ ପଠାଯାଇଥିଲା ।
ନିଆଁ ଲାଗିବା ସମୟରେ ଘରେ ୬ ଜଣ ଥିଲେ । ଅଗ୍ନିଶମ ବାହିନୀ କୌଣସି ପ୍ରକାରେ ସମସ୍ତଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ହସ୍ପିଟାଲ ପଠାଇଥିଲେ । ହେଲେ ସେଠି ମାଆ ଓ ପୁଅ ଆଖି ବୁଝିଥିଲେ । ବିଲ୍ଡିଂର ତୃତୀୟ ଏବଂ ଚତୁର୍ଥ ମହଲାରେ ନିଆଁ ଲାଗିଥିଲା । ନିଆଁର ପ୍ରକୋପ ଯୋଗୁ ଏହି ପରିବାର ବାହାରକୁ ବାହାରି ପାରି ନ ଥିଲେ ।
ଦମକଳ ବିଭାଗ କହିଛି ଯେ ଭୋଳାନାଥ ନଗରସ୍ଥିତ ଏକ ଘରେ ସକାଳୁ ନିଆଁ ଲାଗିଥିଲା । ଏହି ଘର ମନୀଷ ଗୁପ୍ତାଙ୍କର । ଅଗ୍ନିକାଣ୍ଡରେ ୪ ଜଣ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି । ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ଆହତମାନେ ହେଲେ, କୈଳାଶ ଗୁପ୍ତା (୭୨), ଭଗବତୀ ଗୁପ୍ତା (୭୦), ମନୀଷ ଗୁପ୍ତା (୪୫) ଓ ପାର୍ଥ ଗୁପ୍ତା (୧୯) । ସେପଟେ ମୃତକ ଦୁଇ ମାଆ ଓ ପୁଅ ହେଲେ, ଶିଳ୍ପୀ ଗୁପ୍ତା (୪୨) ଓ ପ୍ରଣବ ଗୁପ୍ତା (୧୬) ।
ଏମାନେ ସମସ୍ତେ ଗୋଟିଏ ପରିବାରର । ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ଏହି ପରିବାରର ଏକ ଇଲେକ୍ଟ୍ରିକ୍ ଦୋକାନ ରହିଛି ।
#WATCH | 2 died and 4 injured after a fire broke out in a house in Bholanath Nagar, Delhi. All the injured and deceased persons are members of the same family. The deceased seems to have died due to asphyxia. The FSL team has been called to the spot: DCP Shahdara pic.twitter.com/qWpkUYmF3a
— ANI (@ANI) October 18, 2024