ଛୁଟି ନ ମିଳିବାରୁ ଚାକିରି ଛାଡ଼ିଲେ ପୋଲିସ ଅଧିକାରୀ, କହିଲେ-‘ସ୍ତ୍ରୀଙ୍କ ଠାରୁ ବଡ଼ କେହି ନୁହେଁ’

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବି ବଡ଼ ଅଜବ। ପାଖରେ ଥିଲେ ଉଭୟେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଲାଗୁଥିବା ବେଳେ ଟିକେ ଦୂରେଇ ଗଲେ ଉଭୟେ ଉଭୟଙ୍କୁ ଖୋଜିଥାନ୍ତି। ଆଉ ଏହି କାରଣରୁ ହିଁ ଏମାନଙ୍କ ସମ୍ପର୍କ ଅନ୍ୟ ସବୁ ସମ୍ପର୍କଠାରୁ ମଜଭୁତ ହୋଇଥାଏ। କିନ୍ତୁ ଅଧିକାଂଶ ସମୟ ସୋସିଆଲ ମିଡିଆରେ ପତ୍ନୀମାନଙ୍କୁ ଏକ ବୋଝ ବା ମୁଣ୍ଡବିନ୍ଧା ଭାବେ ଉପସ୍ଥାପନ କରାଇଥାଏ। ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ କେତେ ଗଭୀର ଓ ସ୍ତ୍ରୀ ପାଇଁ ଜଣେ ସ୍ୱାମୀ କ’ଣ କରିପାରେ ତାହାର ନଗ୍ନ ଚିତ୍ର ନିକଟରେ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବରେଲିରେ। ବରେଲିଠାରେ ଜଣେ ପୋଲିସ ଅଧିକାରୀ ସ୍ତ୍ରୀଙ୍କ ଯତ୍ନ ନେବାକୁ ନିଜ ଚାକିରି ଛାଡ଼ିଦେଇଥିବା ଜଣାଯାଇଛି।

ରିପୋର୍ଟ ମୁତାବକ ଉତ୍ତର ପ୍ରଦେଶର ବରେଲି ଜୋନ୍‌ର ଅମରୋହାରେ ଡିଡୋଲି ଥାନା ସଲାମତପୁର ଗାଁରେ ବାସ କରୁଥିବା ଏସ୍‌ଆଇ ଜୟପାଲ ସିଂହ ୧୯୮୦ ମସିହାରେ ଜଣେ କନେଷ୍ଟବଳ ଭାବେ ପୋଲିସରେ ଯୋଗ ଦେଇଥିଲେ। ତାଙ୍କର ତିନି ଜଣ ପୁଅ। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହୁଥିବାରୁ ଘରେ ପତ୍ନୀଙ୍କ ଯତ୍ନ ନେବାକୁ କେହି ନାହାନ୍ତି। ଏଣୁ ଜୟପାଲ ଛୁଟି ନେଇ ଘରକୁ ଆସିବାକୁ ଚାହିଁଥିଲେ। କିନ୍ତୁ ତାଙ୍କୁ ଛୁଟି ମିଳୁନଥିଲା। ଗତ ୬ ମାସ ହେଲା ଘରକୁ ଆସିନଥିବାରୁ ସେ ସ୍ତ୍ରୀଙ୍କୁ ଭେଟିପାରିନାହାନ୍ତି। ଏଣୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ବରେଲିର ଡିଆଇଜି ତାଙ୍କୁ ବାରମ୍ବାର ବୁଝାଇଥିଲେ ମଧ୍ୟ ଜୟପାଲ ନିଜ ଜିଦିରେ ଅଟଳ ରହିଥିଲେ। ଏଣୁ ତାଙ୍କ ଦରଖାସ୍ତକୁ ମଞ୍ଜୁର କରାଯାଇଥିବା ଜଣାଯାଇଛି।

ତେବେ କେବଳ ଜୟପାଲ ନୁହେଁ ଶାହାଜାହାନପୁରର ଆଉ ଜଣେ ପୋଲିସ ଅଧିକାରୀ ନରେଶ ଭଟ୍ଟନାଗର ମଧ୍ୟ ଛୁଟି ନ ମିଳିବାରୁ ଚାକିରି ଛାଡ଼ି ଦେଇଛନ୍ତି। ଭଟ୍ଟନାଗରଙ୍କ ପତ୍ନୀ ଜଣେ ସ୍କୁଲ ଶିକ୍ଷୟିତ୍ରୀ ହୋଇଥିବା ବେଳେ ଝିଅ ଗାଜିଆବାଦରେ ଇଞ୍ଜିନିୟରିଂ ପଢ଼ୁଛନ୍ତି ଓ ପୁଅ ଏମ୍‌ଟେକ୍‌ କରୁଛି। ନରେଶ କହିଛନ୍ତି ଯେ ତାଙ୍କ ପତ୍ନୀ ମାସେ ଯାଏଁ ରୋଗରେ ପଡ଼ିଥିଲେ ଓ ସେ ମେଡିକାଲରେ ଥିଲେ। ଏହି ସମୟରେ ସେ ଛୁଟି ଆବେଦନ କରିଥିଲେ ବି ତାଙ୍କ ଛୁଟି ମଞ୍ଜୁର ହୋଇନଥିଲା। ଏଣୁ ଚାକିରି ଛାଡ଼ିବା ଛଡ଼ା ତାଙ୍କ ପାଖରେ ଆଉ କିଛି ବିକଳ୍ପ ନାହିଁ।

Image result for indian police symbol

ଉଭୟ ମାମଲାକୁ ନେଇ ବରେଲି ରେଞ୍ଜର ଡିଆଇଜି ରାଜେଶ ପାଣ୍ଡେ କହିଛନ୍ତି ଦୁଇ ଜଣ ଯାକ ପୋଲିସ ଅଧିକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲୁ, କିନ୍ତୁ ସେମାନେ ବୁଝିଲେନି। ଏଣୁ ସେମାନଙ୍କୁ ୧୫ ଦିନ ସମୟ ଦିଆଯାଇଥିଲା। ତଥାପି ସେମାନେ ନ ମାନିବାରୁ ତାଙ୍କୁ ଅବସର ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.