ଆମେରିକାରେ ପୁଣି ବିମାନ ଦୁର୍ଘଟଣା, ରନୱେରେ ଧକ୍କା ହେଲା ଦୁଇ ବିମାନ, ଜଣେ ମୃତ

ଆମେରିକାରେ ପୁଣି ଏକ ବିମାନ ଦୁର୍ଘଟଣାଗ୍ରସ୍ତ । ଏରିଜୋନା ସ୍କଟସଡେଲ ଏୟାରପୋର୍ଟରେ ଦୁଇଟି ଜେଟ ବିମାନ ପରସ୍ପର ସହିତ ଧକ୍କା ହୋଇଛି । ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ବିମାନ ବନ୍ଦରର ରନୱେକୁ ବନ୍ଦ କରିଦିଆଯାଇଛି । ତେବେ ଗତ ୧୨ ଦିନ ଭିତରେ ଏହା ଆମେରିକାରେ ଚତୁର୍ଥ ବିମାନ ଦୁର୍ଘଟଣା ।

ସ୍କଟସଡେଲ ଏୟାରପୋର୍ଟର ଜଣେ ଅଧିକାରୀଙ୍କ କହିବା ମୁତାବକ, ଏକ ମଧ୍ୟମ ଆକାରର ବିଜନେସ ଜେଟ ନିଜ ସ୍ଥାନରେ ଠିଆ ହୋଇଥିବା ବେଳେ ଅନ୍ୟ ଏକ ବିଜନେସ ଜେଟ ଧକ୍କା ଦେଇଥିଲା । ପାର୍କ ହୋଇଥିବା ଏକ ଜେଟକୁ ଗଲ୍ଫଷ୍ଟ୍ରିମ ୨୦୦ ଜେଟ ଧକ୍କା ଦେଇଥିଲା । ଜେଟର ପ୍ରାଇମେରୀ ଲାଣ୍ଡିଂ ଗିୟର ବନ୍ଦ ହୋଇଯାଇଥିଲା । ଫଳରେ ଦୁଇଟି ଜେଟ୍ ମଧ୍ୟରେ ଧକ୍କା ହୋଇଥିଲା ।

ଏହି ଜେଟଟି ଟେକ୍ସାସ ଆସିଥିଲା । ଏଥିରେ ୪ ଜଣ ଯାତ୍ରୀ ଥିଲେ । ସେହିପରି ପାର୍କ ହୋଇଥିବା ଜେଟରେ ଜଣେ ବ୍ୟକ୍ତି ରହିଥିଲେ । ଦୁର୍ଘଟଣା ପରେ ଅଗ୍ନିଶମ ଟିମ ତୁରନ୍ତ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲା । ତେବେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ,  ସିଆଟେଲ୍- ଟାକୋମା ଏୟାରପୋର୍ଟ ରନଓ୍ୱେରେ ୨ ବିମାନ ଧକ୍କା ହୋଇଥିଲା ।  ହେଲେ ବିମାନରେ ଥିବା ୧୪୨ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଜାପାନ ଏୟାର ଲାଇନ୍ସର ଜେଟ୍ ଓ ଡେଲ୍ଟା ଏୟାର ଲାଇନ୍ସ ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ପାଇଁ କିଛି ସମୟ ବିମାନ ଉଡାଣକୁ ବାତିଲ କରାଯାଇଥିଲା ।

କିଛି ଦିନ ତଳେ ଆମେରିକାରେ ମଝି ଆକାଶରେ ଦୁଇ ବିମାନ ଧକ୍କା ହୋଇଥିଲା । ଆମେରିକାର ୱାଶିଂଟନ ଡିସି ନିକଟରେ ରେଗାନ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଅବତରଣ ପୂର୍ବରୁ ବିମାନକୁ ଧକ୍କା ଦେଇଥିଲା ଆର୍ମି ହେଲିକପ୍ଟର । ଦୁର୍ଘଟଣା ପରେ ବିମାନଟି ପୋଟମାକ୍ ନଦୀକୁ ଖସିପଡିଥିଲା ।  ଏହି ଦୁର୍ଘଟଣାରେ ସମସ୍ତ ୬୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ହ୍ବାଇଟ୍‌ ହାଉସ୍‌ରୁ ମାତ୍ର ୫ କିଲୋମିଟର ଦୂରତ୍ବରେ ହୋଇଥିଲା ।

Also Read : ଫିଲିପାଇନ୍ସ ପୁଣି ଭୟଙ୍କର ବିମାନ ଦୁର୍ଘଟଣା, ୪ ମୃତ