ଯୌତୁକରେ କାର ଡିମାଣ୍ଡ କଲା ବରପକ୍ଷ, ବେଦିରୁ ଉଠିଲେ ଦୁଇ ଭଉଣୀ

ଏବେ ଚାଲିଛି ବିବାହ ଋତୁ । ବିବାହ ଯେ କେବଳ ଦୁଇଟି ଆତ୍ମାର ମିଳନ ତା ନୁହେଁ ଦୁଇଟି ପରିବାର ମଧ୍ୟ ବିବାହ ସମୟରେ ଅତୁଟ ବନ୍ଧନରେ ବାନ୍ଧି ହୁଅନ୍ତି । କିନ୍ତୁ ଅନେକ ବିବାହରେ ଏମିତି କିଛି ଘଟଣା ଘଟେ ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରେ । ବିବାହ ସମୟର ଭାଇରାଲ ହେଉଥିବା ଅନେକ ଭିଡିଓ ଆପଣମାନେ ଦେଖିଥିବେ । ବିବାହବେଳେ ବରପକ୍ଷ କନ୍ୟାପକ୍ଷଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଉଥିବା ବି ଆପଣଙ୍କ ନଜରକୁ ଆସିଥିବ । ବିବାହବେଳେ ସବୁଠାରୁ ବଡ଼ କଥା ଆସେ ଯୌତୁକ ଦାବି । ବିବାହ ସମୟରେ ଯୌତୁକ ଦାବିକୁ ନେଇ ବର ପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ଏମିତି ଗଣ୍ଡଗୋଳ ହୁଏ ଯେ ଶେଷରେ ବାହାଘର ଭାଙ୍ଗିଯାଏ । ଆଜି ବି ଏମିତି ଏକ ଘଟଣା ବିଷୟରେ ଆମେ ଆପଣଙ୍କ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେଇ ବସିବେ ।
ଉତ୍ତରପ୍ରଦେଶରେ ଯୌତୁକ ଦାବିକୁ ନେଇ ବିବାହ ବେଦୀରୁ ଉଠିଲେ ଦୁଇ ଭଉଣୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ହଥରସ ଜିଲ୍ଲାର ସାଦାବାଦ ଥାନା ଅନ୍ତର୍ଗତ ସାମଦପୁର ଗାଁରେ । ବିବାହ ପାଇଁ ମୁର୍ସାନ ଥାନା ଅଞ୍ଚଳର ତାଜପୁର ଗାଁରୁ ବର କନ୍ୟା ଘରକୁ ଆସିଥିଲା । ବିବାହ ଉତ୍ସବ ପାଇଁ ସମସ୍ତ ଆୟୋଜନ ବି ସରିଥିଲା । କେବଳ ବାହାଘର ହେବା ବାକି ଥିଲା । କିନ୍ତୁ ଯୌତୁକକୁ ନେଇ ଦୁଇ ପରିବାର ମଧ୍ୟରେ ଏମିତି ଯୁକ୍ତିତର୍କ ଆରମ୍ଭ ହେଲା ଯେ ଏହା ପରେ ଝଗଡ଼ାର ରୂପ ନେଲା । ଆଉ ଶେଷରେ ଦୁଇ ଭଉଣୀ ଉପସ୍ଥିତ ବୁଦ୍ଧି ଦେଖାଇ ବାହାବେଦୀରୁ ଉଠି ବିବାହକୁ ଭାଙ୍ଗି ଦେଇଥିଲେ ।
ସୂଚନାନୁଯାୟୀ, ଉତ୍ତରପ୍ରଦେଶ ସାମଦପୁର ଗାଁରେ ଦୁଇ ଝିଅଙ୍କ ବିବାହ ଉତ୍ସବ ଥିଲା । ବିବାହ ପାଇଁ ଝିଅ ଘର ପକ୍ଷ ପ୍ରାୟ ସମସ୍ତ ପ୍ରସ୍ତୁତି କରିସାରିଥିଲେ । କିନ୍ତୁ ବିବାହ ଖୁସିରେ ଯେ କାହା ନଜର ଲାଗିଯିବ କେହି କେବେ ଭାବିନଥିଲେ । ଝିଅ ବାପାଙ୍କୁ ଯୌତୁକରେ କାର ଡିମାଣ୍ଡ କଲେ ବର ପକ୍ଷ । କାର ଦେଲେ ହିଁ ବିବାହର ସମସ୍ତ ରୀତିନୀତି ଆରମ୍ଭ ହେବ । ଏମିତି କିଛି କଥା କହିଥିଲେ ବର ପକ୍ଷ । କିନ୍ତୁ କନ୍ୟା ପକ୍ଷ ତାଙ୍କ ଦାବିକୁ ପୂରଣ କରିବାକୁ ସକ୍ଷମ ନଥିଲେ । ଯାହା ପରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା । ବରର ଭାଇ କନ୍ୟାର ଭାଇକୁ ଠେଲାପେଲା କରିଥିଲେ । ଏମିତି ଧସ୍ତାଧସ୍ତି ମଧ୍ୟରେ କନ୍ୟାଙ୍କ ଭାଇ ମୁଣ୍ଡ ଫାଟିଯାଇଥିଲା । ଯାହା ପରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଆହୁରି ବଢି଼ବାରେ ଲାଗିଥିଲା । କନ୍ୟା ବେଶରେ ରହିଥିବା ଦୁଇ ଭଉଣୀ ଏଭଳି ପରିସ୍ଥିତିକୁ ଦେଖି ଖୁବ୍ ରାଗି ଗଲେ । ଆଉ ଶେଷରେ ବାହା ହେବେ କଣ ଓଲଟା ବରକୁ ଫେରେଇ ଦେଇଥିଲେ ଦୁଇ ଭଉଣୀ । ଘଟଣା ଥାନାରେ ପହଞ୍ଚିଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ କନ୍ୟା ଘରୁ ଖାଲି ହାତରେ ଫେରିଥିଲା ବର ।
କହି ରଖୁଛୁ ଭାରତରେ ଯୌତୁକ ଭଳି କୁପ୍ରଥାକୁ ରୋକିବା ପାଇଁ Dowry Prohibition Act ଅନୁଯାୟୀ ଯୌତୁକ ବିରୋଧ ଆଇନ ୧୯୬୧ ମସିହାରେ ଲାଗୁ କରାଯାଇଥିଲା । କିନ୍ତୁ କିଛି ଯୌତୁକ ଲୋଭୀ ସରକାରଙ୍କ ନିୟମକୁ ନମାନି ଏଭଳି ଅପରାଧ କରାଇବାକୁ ପଛାଉ ନାହାନ୍ତି ।
Also Read : ୱାକଫ ଆଇନ : ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ