ଦୁବାଇ : ବେକରୀରେ କାମ କରୁଥିବା ୩ ତେଲଙ୍ଗାନା ଯୁବକଙ୍କୁ ଆକ୍ରମଣ, ସରକାରକୁ ସହାୟତା ମାଗିଲେ ପରିବାର

ଦୁବାଇରେ କାମ କରୁଥିବା ତେଲଙ୍ଗାନାର ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଫଳରେ ୨ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁବାଇର ଏକ ବେକେରୀ ଦୋକାନରେ ଏଭଳି କାଣ୍ଡ ଘଟିଛି । ତେବେ ଆକ୍ରମଣ ଜଣେ ପାକିସ୍ତାନୀ ନାଗରିକ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପାକିସ୍ତାନୀ ଜଣକ ଧାର୍ମିକ ନାରା ଦେଇ ଦୋକାନରେ ପଶି ଆକ୍ରମଣ କରିଥିଲା ।
ଖବର ମୁତାବକ, ନିର୍ମଳ ଜିଲ୍ଲାର ସୋଆନ ଗ୍ରାମର ଅଷ୍ଟପୁ ପ୍ରେମସାଗର (୩୫)ଙ୍କୁ ଏପ୍ରିଲ ୧୧ ତାରିଖରେ ହତ୍ୟା କରାଯାଇଥିଲା । ପୀଡିତମାନେ ଦୁବାଇର ଏକ ବେକରୀରେ କାମ କରୁଥିବା ବେଳେ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।
ପ୍ରେମସାଗର ଗତ ପାଞ୍ଚ-ଛଅ ବର୍ଷ ଧରି ବେକରୀରେ ଚାକିରି କରୁଥିଲେ । ଶେଷ ଥର ପାଇଁ ଦୁଇ ବର୍ଷ ପୂର୍ବରୁ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । ତାଙ୍କ ପାର୍ଥିବ ଶରୀରକୁ ଭାରତ ଆଣିବାରେ ସାହାଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ପ୍ରେମସାଗରଙ୍କ ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଦ୍ୱିତୀୟ ମୃତକଙ୍କ ନାମ ଶ୍ରୀନିବାସ, ସେ ନିଜାମାବାଦ ଜିଲ୍ଲାର ବାସିନ୍ଦା । ଆକ୍ରମଣରେ ଆହତ ହୋଇଥିବା ତୃତୀୟ ବ୍ୟକ୍ତି ସାଗରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ତାଙ୍କ ପତ୍ନୀ ଭବାନୀ କହିଛନ୍ତି ।
ତେବେ ଏହି ଘଟଣା ପରେ ସମଗ୍ର ତେଲଙ୍ଗାନାରେ ଶୋକର ଛାୟା ଖେଳିଯାଇଛି । କେନ୍ଦ୍ର ମନ୍ତ୍ରୀ କିଶନ ରେଡ୍ଡୀ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି । ପୀଡିତ ପରିବାରକୁ ଯଥା ସମ୍ଭବ ସହାୟତା କରିବାକୁ ଆଶ୍ବାସନା ଦେଇଛନ୍ତି ।
Also Read : ତେଲେଙ୍ଗାନାରେ ଅଭାବନୀୟ ଘଟଣା, କାରରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ