ଝାଡ଼ଖଣ୍ଡ: ୨ ଯୁବକଙ୍କୁ ଧକ୍କା କରି ମାରିଲା ପୋଲିସ ପାଟ୍ରୋଲିଂ ଗାଡ଼ି, ନ୍ୟାୟ ଦାବି କଲେ ମୃତକଙ୍କ ବାପା

ପୋଲିସ ପାଟ୍ରୋଲିଂ ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଘଟିଛି ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ । ଗତ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ପୋଲିସ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏ ନେଇ ମୃତକଙ୍କ ପରିବାରକୁ ସୂଚନା ଦେଇଛି । ମୃତକଙ୍କ ଗାଁରେ ଶୋକର ଛାଇ ଖେଳିଯାଇଛି ।

ଏହି ଦୁର୍ଘଟଣାକୁ ନେଇ ଗୋଲା ଥାନା ଅଧିକାରୀ ଅଭିଷେକ ପ୍ରସାଦ କହିଛନ୍ତି, ପାଟ୍ରୋଲିଂ ଗାଡ଼ିର ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏ ନେଇ ମୃତ ଜଣେ ଯୁବକଙ୍କ ବାପା ତିରୁ ମାଞ୍ଝିଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି ।

ଲିଖିତ ଅଭିଯୋଗରେ ତିରୁ ମାଞ୍ଝି କହିଛନ୍ତି ଯେ ତାଙ୍କ ପୁଅ ଏବଂ ତାଙ୍କର ଜଣେ ସାଙ୍ଗ ବାଇକ୍‌ରେ ଯାଉଥିବା ବେଳେ ପୋଲିସ ପାଟ୍ରୋଲିଂ ଗାଡ଼ି ସେମାନଙ୍କୁ ଜୋର୍‌ରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

ପୋଲିସ ଅଧିକାରୀ କହିଛନ୍ତି, ଆମେ ଏହି ମାମଲାର ତଦନ୍ତ ଆରମ୍ଭ କରିଛୁ । ଘଟଣା କିପରି ଘଟିଲା ଏବଂ ଏଥିରେ କାହାର ଭୁଲ୍‌ ଥିଲା, ତାହା ଜାଣିବା ପାଇଁ ଆମେ ବର୍ତ୍ତମାନ ଚେଷ୍ଟା କରୁଛୁ ।

ସେପଟେ ଏହି ଦୁର୍ଘଟଣା ପରେ ଅଞ୍ଚଳବାସୀ ଉତ୍ତ୍ୟକ୍ତ ହୋଇ ପୋଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି । ମୃତ ଯୁବକ ଦ୍ୱୟଙ୍କ ପରିବାର ଲୋକେ ନ୍ୟାୟ ଦାବି କରିଥିବା ବେଳେ ପୋଲିସ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତର ଆଶ୍ୱସନା ଦେଇଛି । ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାର ଯାଞ୍ଚ ପରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।