ନିର୍ଦ୍ଦେଶନାମା ଜାରି କଲେ ୟୁଏଇ ସରକାର, ସିଙ୍ଗଲ ନାମ ଥିବା ଭାରତୀୟ ପାସ୍‌ପୋର୍ଟଧାରୀଙ୍କୁ ମିଳିବନି ଯାତ୍ରାର ସୁବିଧା

କେନ୍ୟୁଜ୍‌: ସାଧାରଣତଃ ଭାରତର ଅଧିକାଂଶ ଲୋକ ଆରବ ଦେଶରେ ରହି କାମ କରନ୍ତି । ବିଶ୍ୱରେ ଅନ୍ୟ ଦେଶମାନଙ୍କ ଅପେକ୍ଷା ସଂଯୁକ୍ତ ଆରବ ଏମିରେଟ୍‌ରେ ଭାରତୀୟ ଅଧିକ ରହିଛନ୍ତି। ଅନେକ ଲୋକ ଅଧିକାଂଶ ସମୟରେ ୟୁଏଇରୁ ଯିବାଆସିବା କରନ୍ତି । କିନ୍ତୁ ୟୁଏଇ ସରକାର ଭିସାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେଠାକାର ସରକାର ୟୁଏଇ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ନିୟମ କଡ଼ାକଡ଼ି କରିଛନ୍ତି । ନିୟମ ଏହିପରି ଯେ ଯଦି ଜଣେ ବ୍ୟକ୍ତିଙ୍କର ପାସ୍‌ପୋର୍ଟରେ କେବଳ ପ୍ରଥମ ନାଁ ରହିଛି, ତେବେ ତାଙ୍କୁ ୟୁଏଇ ଯାତ୍ରାରେ ସାମିଲ କରାଯିବ ନାହିଁ ।

ପାସ୍‌ପୋର୍ଟରେ ବ୍ୟକ୍ତିଙ୍କର ପ୍ରଥମ ନାଁ ଏବଂ ଶେଷ ନାଁ ରହିବା ଅନିବାର୍ଯ୍ୟ। ଯଦି ଏହି ଦୁଇଟି ନାମ ନ ଥାଏ, ତେବେ କୌଣସି ପରିସ୍ଥିତିରେ ସେ ଯାତ୍ରା କରି ପାରିବେ ନାହିଁ କିମ୍ବା ସେଠାରୁ ଭାରତକୁ ଆସି ପାରିବେ ନାହିଁ। ୟୁଏଇ ସରକାର ମଧ୍ୟ ଇଣ୍ଡିଗୋ ଏୟାରଲାଇନ୍‌ସକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଇଣ୍ଡିଗୋ ଏୟାରଲାଇନ୍‌ସ ମଧ୍ୟ କହିଛି, ‘ଯେଉଁ ଯାତ୍ରୀମାନଙ୍କ ପାଖରେ ପାସ୍‌ପୋର୍ଟରେ ସିଙ୍ଗଲ ନେମ୍‌ ରହିଛି, ସେମାନଙ୍କୁ ଯାତ୍ରାର ଅନୁମତି ଦିଆଯିବ ନାହିଁ । ସେ ଟୁରିଷ୍ଟ ଭିସାରେ ଆସନ୍ତୁ କି ଅନ୍ୟ ଯେକୌଣସି ଭିସାରେ’।

ପର୍‌ମାନେଣ୍ଟ ଭିସା ଥିବା ଯାତ୍ରୀଙ୍କ ପାଇଁ ରହିଛି ସୁବିଧା:
ଯଦି କାହା ପାଖରେ ୟୁଏଇର ସ୍ଥାୟୀ ଭିସା ରହିଛି, ତେବେ ତାଙ୍କୁ ଯାତ୍ରାର ସୁବିଧା ନିଶ୍ଚିତ ମିଳିବ। କିନ୍ତୁ ତାଙ୍କର ପ୍ରଥମ ଏବଂ ଶେଷ ନାମକୁ ଅପଡେଟ୍‌ କରିବା ନିହାତି ଦରକାର । ଇଣ୍ଡିଗୋ ଏୟାରଲାଇନ୍‌ସ କହିଛି, ଏ ବିଷୟରେ ଅଧିକ ସୂଚନା ପାଇଁ େଓ୍ଵବ୍‌ସାଇଟ୍‌ ଚେକ୍‌ କରନ୍ତୁ । ୟୁଏଇ ସରକାରଙ୍କ ଏହି ନିର୍ଦ୍ଦେଶନାମା ପରେ ଅନେକ ଏୟାରଲାଇନ୍‌ସ କମ୍ପାନିଗୁଡ଼ିକ ପାସ୍‌ପୋର୍ଟରେ ତ୍ରୁଟି ଥିବା ବ୍ୟକ୍ତିଙ୍କୁ ବାହାର କରି ଦେଉଛି । ଏମିତିରେ ଅନେକ ଭାରତୀୟଙ୍କୁ ୟୁଏଇରୁ ଆସିବା ପାଇଁ ମଧ୍ୟ ଦିଆଯାଉ ନାହିଁ । ଭିସା ଆପ୍ଲାଇ କରୁଥିବା ଏଜେଣ୍ଟ ପରବର୍ତ୍ତୀ ଅପଡେଟ୍‌କୁ ଅପେକ୍ଷା କରିବା ପାଇଁ କହୁଛନ୍ତି ।

ଭିସା ଆପ୍ଲାଇ କରିବା ପୂର୍ବରୁ ୪୮ ଘଣ୍ଟା ଅପେକ୍ଷା କରନ୍ତୁ:
ସୂଚନା ଅନୁସାରେ, ଏକ ଟ୍ରାଭେଲ ଏଜେନ୍ସିର କର୍ମଚାରୀ କହିଛନ୍ତି, ଆମେ ଦୂତାବାସର ସୂଚନାକୁ ଅପେକ୍ଷା କରିଛୁ, ସେଥିପାଇ ଲୋକମାନଙ୍କୁ ଭିସା ଆପ୍ଲାଇ କରିବା ପୂର୍ବରୁ ୪୮ ଘଣ୍ଟା ଅପେକ୍ଷା କରିବା ପାଇଁ କହୁଛୁ । ୟୁଏଇ ସରକାରଙ୍କ ହଠାତ୍‌ ଏହି ନିଷ୍ପତ୍ତି ପରେ ଭାରତରେ ପରିସ୍ଥିତି ପୂରା ସଙ୍ଗୀନ ହୋଇପଡ଼ିଛି । କାରଣ, ଅନେକ ଲୋକ ୟୁଏଇରୁ ଭାରତକୁ ଯିବାଆସିବା କରିଥାଆନ୍ତି । କିନ୍ତୁ ୟୁଏଇ ସରକାର ନିୟମକୁ କଡ଼ାକଡ଼ି କରିବା ପରେ ସମସ୍ତ ଭାରତୀୟ ନାହିଁ ନ ଥିବା ଅସୁବିଧାରେ ପଡ଼ୁଛନ୍ତି। ଭାତୀୟ ଏୟାରଲାଇନ୍‌ସ ସଂସ୍ଥା ଇଣ୍ଡିଗୋ, ଇଣ୍ଡିଆ ଏକ୍ସପ୍ରେସ୍‌, ସ୍ପାଇସ୍‌ ଜେଟ୍‌ ଯାତ୍ରୀମାନଙ୍କୁ ଯାତ୍ରା ସମୟରେ ନିଜର ପାସ୍‌ପୋର୍ଟକୁ ଭଲ ଭାବରେ ପରଖି ନେବା ପାଇଁ କହୁଛନ୍ତି । ସେଥିରେ ସେମାନଙ୍କ ନାମ ନୂଆ ନିୟମ ଅନୁସାରେ ଠିକ୍‌ ଅଛି କି ନାହିଁ ଉପଦେଶ ଦେଉଛନ୍ତି ।