‘ପ୍ରିୟର ସ୍ୱାମୀ…’, ୟୁଏଇ ପ୍ରଧାନମନ୍ତ୍ରୀଙ୍କ ଝିଅ ଇନ୍‌ଷ୍ଟାଗ୍ରାମରେ ନିଆରା ଢଙ୍ଗରେ ଲେଖିଲେ ତଲାକ୍‌, ତଲାକ୍‌, ତଲାକ୍‌

ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍‌ ରଶିଦ୍‌ ଅଲ୍‌ ମକତୁମ୍‌ଙ୍କ ଝିଅ ସୋସିଆଲ ମିଡିଆରେ ତଲାକ୍‌ ଘୋଷଣା କରିଛନ୍ତି । ମକତୁମ୍‌ଙ୍କ ଝିଅ ଶେଖା ମାହରା ବିନ୍ତ୍‌ ଦୁଇ ମାସ ତଳେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ସେ ଇନ୍‌ଷ୍ଟାଗ୍ରାମରେ ସ୍ୱାମୀ ଶେଖ ମନା ବିନ୍‌ ମହମ୍ମଦ ବିନ୍‌ ରଶିଦ୍‌ ବିନ୍‌ ମନା ଅଲ୍‌ ମକତୁମ୍‌ଙ୍କଠାରୁ ଛାଡ଼ପତ୍ର ଘୋଷଣା କରିଛନ୍ତି ।

ସେ ନିଜ ଇନ୍‌ଷ୍ଟା ପୋଷ୍ଟରେ ଲେଖିଛନ୍ତି, ‘ପ୍ରିୟର ସ୍ୱାମୀ, ଯେପରି ଆପଣ ଅନ୍ୟମାନଙ୍କ ସହ ବ୍ୟସ୍ତ ରହିଛନ୍ତି, ଏହାରି ଭିତରେ ମୁଁ ଆମ ଛାଡ଼ପତ୍ର ଘୋଷଣା କରୁଛି । ମୁଁ ଆପଣଙ୍କୁ ତଲାକ୍‌ ଦେଉଛି । ମୁଁ ଆପଣଙ୍କୁ ତଲାକ୍‌ ଦେଉଛି ଏବଂ ମୁଁ ଆପଣଙ୍କୁ ତଲାକ୍‌ ଦେଉଛି । ନିଜର ଯତ୍ନ ନେବ । ଆପଣଙ୍କର ପୂର୍ବତନ ପତ୍ନୀ’ ।

କହି ରଖୁଛୁ ଯେ ୧୯୯୪ରେ ଜନ୍ମ ହୋଇଥିବା ମାହରା ଗତବର୍ଷ ମେ’ ୨୭ରେ ଶେଖ ମନା ବିନ୍‌ଙ୍କୁ ବିବାହ କରିଥିଲେ । ବିବାହର ୫ ମାସ ପରେ ସେ ଗର୍ଭବତୀ ହୋଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ନିଜ ଅଲ୍‌ଟ୍ରାସାଉଣ୍ଡ ସ୍କାନ୍‌ର ଫଟୋ ମଧ୍ୟ ସେ ସୋସିଆଲ ମିଡିଆ ଷ୍ଟୋରୀରେ ସେୟାର କରି କହିଥିଲେ, ‘କେବଳ ଆମେ ତିନି’ ।

କିନ୍ତୁ ବର୍ତ୍ତମାନ ତଲାକ୍‌ ଘୋଷଣା କରିବା ପରେ ସେ ନିଜ ଝିଅ ସହିତ ଫଟୋ ସେୟାର କରି କହିଛନ୍ତି, ‘କେବଳ ଆମେ ଦୁଇ’ । ସେ ଝିଅର ନାମ ‘ହିନ୍ଦ୍‌’ ରଖିଛନ୍ତି । ନିକଟରେ ୟୁଏଇ ପ୍ରଧାନମନ୍ତ୍ରୀ ନିଜ କ୍ୟାବିନେଟ୍‌ରେ ବଡ଼ ଧରଣର ଅଦଳବଦଳ କରିଥିଲେ । ସେ ନିଜ ପୁଅ ଏମିରେଟ୍ସର ଯୁବରାଜଙ୍କୁ ୟୁଏଇର ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ ।

You might also like