ଉବର କ୍ୟାବ୍‌ ଡ୍ରାଇଭରଙ୍କୁ ରାସ୍ତାରେ ଆସିଗଲା ନିଦ, ୧୫୦ କିମି ନିଜେ ଡ୍ରାଇଭ କରି ଗଲେ ମହିଳା ଯାତ୍ରୀ, କମ୍ପାନୀଙ୍କୁ ପଠାଇଲେ ଅଭିଯୋଗ ପତ୍ର

ମହାରାଷ୍ଟ୍ରରେ ଜଣେ ମହିଳା ଯାତ୍ରୀଙ୍କୁ ଉବର କାର୍‌ ନିଜେ ହିଁ ଚଲାଇବାକୁ ପଡ଼ିଛି। ଖବରରୁ ଜଣାପଡ଼ିଛି, ପୁନେଠାରୁ ପାଖାପାଖି ୧୫୦ କିମି ଦୂର ମୁମ୍ବାଇ ଯିବା ପାଇଁ ମହିଳା ଜଣକ କ୍ୟାବ୍‌ ବୁକ୍‌ କରିଥିଲେ। କିନ୍ତୁ କ୍ୟାବ୍‌ ଡ୍ରାଇଭରଙ୍କୁ ରାସ୍ତା ମଝିରେ ନିଦ ଆସିଥିଲା। ଫଳରେ ବାଧ୍ୟ ହୋଇ ମହିଳା ଯାତ୍ରୀ ନିଜେ ଷ୍ଟିୟରିଂ ସମ୍ଭାଳିଥିଲେ ଏବଂ କାର୍‌ ଚଲାଇ ମୁମ୍ବାଇ ପହଞ୍ଚିଥିଲେ। ଘଟଣାଟି ଘଟିଥିଲା ଗତ ଫେବୃୟାରୀ ୨୧ ତାରିଖରେ। କିନ୍ତୁ ଏହା ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ୨୮ ବର୍ଷୀୟା ତେଜସ୍ୱିନୀ ଦିବ୍ୟା ନାୟକ ଘଟଣାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଭିଡିଓ ଜରିଆରେ ତେଜସ୍ୱିନୀ ଡ୍ରାଇଭରଙ୍କ ନାଁରେ ଉବର କମ୍ପାନୀରେ ଅଭିଯୋଗ ମଧ୍ୟ କରିଥିଲେ।

Uber Technologies Inc Operations Ahead of $10 Billion IPO Roadshow

ତେଜସ୍ୱିନୀ କହିଥିଲେ ଯେ ‘ମୁଁ ପୁନେରୁ ଅନ୍ଧେରୀ(ମୁମ୍ବାଇ) ଯିବା ପାଇଁ ଉବର କ୍ୟାବ୍‌ ବୁକ୍‌ କରିଥିଲି। ଆରମ୍ଭରୁ ଡ୍ରାଇଭର ଲଗାତାର ଫୋନ୍‌ରେ କଥା ହୋଇ ଚାଲିଥିଲେ। ମୁଁ ତାଙ୍କୁ ଫୋନ୍‌ରେ କଥା ନ ହେବାକୁ କହିଥିଲି। ଯଦିଓ ସେ ଫୋନ୍‌ ରଖିଥିଲେ, କିନ୍ତୁ ତାଙ୍କୁ ହଠାତ୍‌ ନିଦ ଆସିଯାଇଥିଲା। ଗୋଟିଏ ଥର ଆକ୍ସିଡେଣ୍ଟ ହେଉ ହେଉ ବର୍ତ୍ତିଯାଇଥିଲୁ। ମୁଁ ଡ୍ରାଇଭରଙ୍କୁ କହିଥିଲି, ଯଦି ଆପଣଙ୍କୁ ଶୋଇବାର ଅଛି, ତା’ହେଲେ କିଛି ସମୟ ମୁଁ ଡ୍ରାଇଭ୍‌ କରିନେଉଛି। ପ୍ରଥମେ ସେ ମନା କରିଥିଲେ, କିନ୍ତୁ ପରେ ମୁଁ ଷ୍ଟିୟରିଂ ସମ୍ଭାଳିଥିଲି’।

a22

ଅଭିଯୋଗକ୍ରମେ ଡ୍ରାଇଭର ସସ୍‌ପେଣ୍ଡ, କମ୍ପାନୀ ମାଗିଲା କ୍ଷମା

ମହିଳା ଜଣକ ଆହୁରି କହିଥିଲେ, ‘ଯେତେବେଳେ ଅଧ ଘଣ୍ଟାର ରାସ୍ତା ବାକି ଥିଲା, ସେତେବେଳେ ଡ୍ରାଇଭରଙ୍କ ନିଦ ଭାଙ୍ଗିଥିଲା ଏବଂ ସେ କାର୍‌ ଚଲାଇଥିଲେ’। ତେବେ ତେଜସ୍ୱିନୀଙ୍କ ଅଭିଯୋଗ କ୍ରମେ କମ୍ପାନୀ ତରଫରୁ ଉକ୍ତ କ୍ୟାବ୍‌ ଡ୍ରାଇଭରଙ୍କୁ ସସ୍‌ପେଣ୍ଡ କରି ଦିଆଯାଇଛି। କମ୍ପାନୀ ଘଟଣା ପାଇଁ ଦୁଃଖ ପ୍ରକାଶ କରି କ୍ଷମା ମଧ୍ୟ ମାଗିଛି। ସୂଚନାଥାଉ କି, ତେଜସ୍ୱିନୀ ଜଣେ ଲେଖିକା, ସେ ଫିଲ୍ମ ପାଇଁ କାହାଣୀ ଲେଖିଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.