UGC-NET-୨୦୨୪ ପରୀକ୍ଷା ରଦ୍ଦ, ପରୀକ୍ଷା ଅନିୟମିତତା ଅଭିଯୋଗ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ନିଷ୍ପତ୍ତି

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବଡ଼ ନିଷ୍ପତ୍ତି । ପୁଣି ଥରେ ହେବ UGC-NET ପରୀକ୍ଷା । ପରୀକ୍ଷାରେ ହୋଇଥିବା ଅନିୟମିତତା ସମ୍ପର୍କରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପୁନଶ୍ଚ ଏହି ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି । ଗତ ୧୮ ତାରିଖରେ ସାରା ଦେଶରେ ହୋଇଥିବା ୟୁଜିସି ନେଟ ପରୀକ୍ଷାକୁ ବାତିଲ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପାଇଁ ୟୁଜିସି NET ପାସ କରିବା ବାଧ୍ୟତାମୂଳକ ରହିଛି । ପୂର୍ବରୁ ଏହି ପରୀକ୍ଷା ୟୁନିଭରସିଟି ଗ୍ରାଣ୍ଟ କମିଶନ ବା ୟୁଜିସି ପରିଚାଳନା କରୁଥିଲା ।  କିନ୍ତୁ ପରବର୍ତ୍ତୀ ସମୟରେ ଏହି ପରୀକ୍ଷା ଦାୟିତ୍ୱ ଏନଟିଏ ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ଦିଆଯାଇଛି । ଏନଟିଏ ନିଟ, ଜେଇଇ ଓ ୟୁଜିସି ନେଟ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ପରୀକ୍ଷା ଦେଶରେ ପରିଚାଳନା କରୁଛି ।

ଗତ ୧୮ ତାରିଖରେ ଏହି ୟୁଜିସି ନେଟ ୮୭ ଟି ବିଷୟରେ ହୋଇଥିଲା । ଦୁଇଟି ସିଟିଂରେ ଏହି ପରୀକ୍ଷା ଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ହୋଇଥିଲା । ଅନିୟମିତତା ଅଭିଯୋଗ ପରେ ପରୀକ୍ଷା ରଦ୍ଦ କରାଯିବା ନେଇ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ । ପରୀକ୍ଷା ପ୍ରକ୍ରିୟାର ସର୍ବୋଚ୍ଚ ସ୍ତରର ସ୍ୱଚ୍ଛତା ଏବଂ ପବିତ୍ରତା ନିଶ୍ଚିତ କରିବାକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।  ପୁଣି ଥରେ ପରୀକ୍ଷା କରାଯିବା ନେଇ ପରବର୍ତ୍ତି ମୁହୂର୍ତ୍ତରେ ସୂଚନା ପ୍ରଦାନ କରାଯିବ। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ- ସିବିଆଇକୁ ହସ୍ତାନ୍ତର କରାଯାଇଥିବା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

You might also like