ମଧ୍ୟପ୍ରଦେଶ ଉଜୈନରେ ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଲା ମହାକାଳ ମନ୍ଦିର ସାମ୍ନାରେ ଥିବା କାନ୍ଥ । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ଉଜୈନ ଜିଲ୍ଲାପାଳ ନୀରଜ କୁମାର ସିଂ କହିଛନ୍ତି କି, ପ୍ରବଳ ବର୍ଷା ଯୋଗୁଁ ମହାରାଜଓ୍ୱାଡା ସ୍କୁଲର କାନ୍ଥ ଭାଙ୍ଗି ଯାଇଥିଲା । ଏହା ତଳେ ୪ ଜଣ ଦବି ଯାଇଥିଲେ । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଚିକିତ୍ସିତ ହେଉଛନ୍ତି ।
ଜିଲ୍ଲାପାଳ କହିଛନ୍ତି କି, ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଲେଖାଏଁ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଦିଆଯାଇଛି । ମୃତକଙ୍କ ପରିଚୟ ଫରହିନ(୨୨) ଏବଂ ଅଜୟ ଯୋଗୀ (୨୭) ବୋଲି ଜଣାପଡିଛି ।
ଉଜୈନ ମହାକାଳ ମନ୍ଦିର ଗେଟ୍ ନଂ ୪ ସାମ୍ନାରେ ମହାକାଳ ଲୋକ ଫେଜ୍ ୨ରେ ହୋଇଥିବା କାନ୍ଥ ଉପରେ ଆଉ ଏକ କାନ୍ଥ ନିର୍ମାଣ କରାଯାଉଥିଲା । ସନ୍ଧ୍ୟାରେ ହଠାତ୍ ବର୍ଷା ହେବା ଯୋଗୁଁ କାନ୍ଥ ଭୁଶୁଡିବାରୁ ୪ ଜଣ ଚାପି ହୋଇଯାଇଥିଲେ । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆହତଙ୍କୁ ଶୀଘ୍ର ସୁସ୍ଥ କାମନା କରିଛନ୍ତି । ମୃତକଙ୍କ ପରିଜନଙ୍କୁ ୪-୪ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦-୫୦ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ନିର୍ମାଣ କାର୍ଯ୍ୟ ସମୟରେ ଦୁର୍ଘଟଣାର ଯାଞ୍ଚ ଆଦେଶ ଦେଇଛନ୍ତି ।