୩୧ତମ ସ୍ୱାଧୀନତା ଦିବସ ପାଳିଲା ୟୁକ୍ରେନ; କିଭ୍‌ରେ ନଜର ଆସିଲେ ବୋରିସ୍‌ ଜନସନ, ଘୋଷଣା କଲେ ୫୪ ମିଲିୟନ ପାଉଣ୍ଡ୍‌ର ପ୍ୟାକେଜ୍‌

ଦୀର୍ଘ ୬ ମାସ…! ଏହାରି ଭିତରେ ସବୁକିଛି ଉଜୁଡ଼ି ଯାଇଛି। ଦେଶର ଚାକଚକ୍ୟ ମଳିନ ପଡ଼ି ଯାଇଛି। କିଏ ନିଜ ମା’କୁ ହରାଇଛି ତ କିଏ ବାପାକୁ, ଆଉ କିଏ ପୂରା ପରିବାରକୁ ହରାଇ ନିଜ ପାଇଁ ଖୋଜୁଛି ସାହାରା। ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ୬ ମାସ କାଳ ଘନ ଘନ ବୋମା, ଗୁଳି ଓ ରେକଟ୍‌ ମାଡ଼ରେ ସହରର ଛାତି ଉଠିଛି ପଡ଼ିଛି, ତଥାପି ଶତ୍ରୁ ଆଗରେ ମୁଣ୍ଡ ନୁଅାଁଇ ନାହିଁ ଜେଲେନସ୍କିଙ୍କ ଦେଶ ‘ୟୁକ୍ରେନ’।

ଫେବୃଆରୀ ଶେଷ ଆଡ଼ୁ ଆରମ୍ଭ ହୋଇଥିବା ଏହି ଭୟଙ୍କର ଯୁଦ୍ଧର ପରିଣାମ ଆଜି ଉଭୟ ଦେଶକୁ ଭୋଗିବାକୁ ପଡ଼ିଛି। ଲକ୍ଷ ଲକ୍ଷ ଜନତାଙ୍କ ଜୀବନ, କୋଟି କୋଟି ଟଙ୍କାର ସମ୍ପତ୍ତି କ୍ଷୟ ସତ୍ତ୍ୱେ ପଛକୁ ହଟୁ ନାହାନ୍ତି ରୁଷ୍‌ ଓ ୟୁକ୍ରେନ। ଏବେ ବି ସଂଘର୍ଷ ଜାରି ରହିଛି। ଆଉ ସେପଟେ ବିନା ଦୋଷରେ ବଳି ପଡ଼ୁଛନ୍ତି ଶହ ଶହ ନିରୀହ ଲୋକ…।

ଇତି ମଧ୍ୟରେ ବୁଧବାର ୟୁକ୍ରେନ ପାଳନ କରିଛି ନିଜର ୩୧ତମ ସ୍ୱାଧୀନତା ଦିବସ। ସକାଳେ ସାଇରନ ଶବ୍ଦ ଶୁଣି କିଭ୍‌ର ଲୋକମାନେ ଉଠିଥିଲେ। ଏହି ଦିନ ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ମଧ୍ୟ ପୂରିଛି ୬ ମାସ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷ୍‌ ଆକ୍ରମଣକୁ ନଜରରେ ରଖି ଦେଶବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। କହି ରଖୁଛୁ, ୧୯୯୧ ମସିହାରେ ୟୁକ୍ରେନ ସୋଭିଏତ୍‌ ସଂଘରୁ ସ୍ୱାଧୀନ ହେବାର ଘୋଷଣା କରିଥିଲା।

boris
photo: abplive

ୟୁକ୍ରେନର ସ୍ୱାଧୀନତା ଦିବସ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ କିଭ୍‌ରେ ପହଞ୍ଚି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ସେ ଜେଲେନସ୍କିଙ୍କ ସହିତ କିଭ୍‌ରେ ବୁଲିବାର ମଧ୍ୟ ନଜର ଆସିଥିଲେ। ବୋରିସ୍‌ ଜନସନ ଏହି ସମୟରେ ଜେଲେନସ୍କିଙ୍କୁ ଆଶ୍ୱସନା ଦେଇ କହିଥିଲେ ଯେ ସେ ନିଶ୍ଚୟ ରୁଷ୍‌ ବିରୋଧରେ ଯୁଦ୍ଧ ଜିତିବେ।

ଏଥି ସହିତ ଜନସନ ରୁଷ୍‌ ଆକ୍ରମଣର ସାମ୍ନା କରିବା ପାଇଁ ୟୁକ୍ରେନକୁ ୫୪ ମିଲିୟନ ପାଉଣ୍ଡର ପ୍ୟାକେଜ୍‌ ଘୋଷଣା କରିଥିଲେ। କହି ରଖୁଛୁ, ବୋରିସ୍‌ ଜନସନ ପ୍ରଥମରୁ ହିଁ ୟୁକ୍ରେନର ସମର୍ଥକ ରହି ଆସିଛନ୍ତି। ରୁଷ୍‌ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ଥିଲା ତାଙ୍କର ତୃତୀୟ ୟୁକ୍ରେନ ଯାତ୍ରା।

ରୁଷ୍‌-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରଠାରୁ ଏ ପର୍ଯ୍ୟନ୍ତ ୪୧ ମିଲିୟନରୁ ଅଧିକ ୟୁକ୍ରେନ ନାଗରିକ ପଳାୟନ କରିଛନ୍ତି। ଏକ ରିପୋର୍ଟ ମୁତାବକ, ସମଗ୍ର ୟୁରୋପରେ ୬.୬ ମିଲିୟନରୁ ଅଧିକ ୟୁକ୍ରେନ ଶରଣାର୍ଥୀଙ୍କୁ ପଞ୍ଜୀକୃତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.