ୟୁକ୍ରେନ୍ ରେ ବିକଳ ସ୍ଥିତି, ଦେଶର ୬୦ ଲକ୍ଷରୁ ଅଧିକ ଲୋକ ଅନ୍ଧାରରେ

ନୂଆଦିଲ୍ଲୀ : ୟୁକ୍ରେନ୍ରେ ବିକଳ ସ୍ଥିତି । ଚାରିଆଡ଼େ ଘୋଟିଛି ଅନ୍ଧାର । ବିଜୁଳି ନାହିଁ । ଦେଶର ୬୦ ଲକ୍ଷରୁ ଅଧିକ ଲୋକ ଅନ୍ଧାରରେ ଥିବା ସୂଚନା ଦେଇଛନ୍ତି ନିଜେ ରାଷ୍ଟ୍ରପତି ଜେଲେନ୍ସ୍କି । କେବଳ କିଭ୍ରେ ଲକ୍ଷେ ୩୦ହଜାର ଲୋକ ଅନ୍ଧାରରେ । ବିଜୁଳି ନଥିବାରୁ ପାଣି ବି ନାହିଁ। ମିସାଇଲ ମାଡ଼ କରି ୟୁକ୍ରେନ୍ର ବିଦ୍ୟୁତ୍ ଭିତ୍ତିଭୂମିକୁ ଛାରଖାର କରୁଛି ରୁଷ୍ ସେନା। ବିଦ୍ୟୁତ୍ ଉତ୍ପାଦନ ଏବଂ ଯୋଗାଣ ଠପ୍ ହୋଇ ଯାଇଛି। ଲୋକଙ୍କୁ ବିଜୁଳି ସଂଯୋଗ ଦେବା ୟୁକ୍ରେନ୍ ପ୍ରଶାସନ ପାଇଁ ଏବେ ସବୁଠୁ ବଡ଼ କାମ ।

ୟୁକ୍ରେନ୍ ଯେତିକି ମରାମତି କରୁଛି ସେତିକି ଧ୍ୱଂସ କରୁଛି ରୁଷ୍। କେବଳ ସୁମିରେ ଗତକାଲି ୭୪ ମିସାଇଲ ମାଡ଼ କରିଛି ରୁଷ୍ ସେନା। କିଭ୍, ଓଡେଶା ଓ ଲିଭିଉ ସହରରେ ଦୟନୀୟ ସ୍ଥିତି। ଡାକ୍ତରଖାନାରେ ବିଜୁଳି ନାହିଁ କି ପାଣି ନାହିଁ । ୟୁକ୍ରେନ୍ର ସବୁଠୁ ବଡ଼ ସରକାରୀ ହସ୍ପିଟାଲ ଗୁଡ଼ିକରୁ ଏବେ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି। ରୁଷ୍ ସେନାର ବର୍ବରତାର ଭିଡିଓ ସେୟାର କରିଛନ୍ତି ଜେଲେନ୍ସ୍କି। ଦେଖାଇଛନ୍ତି, ରୁଷ୍ ଓ ୟୁରୋପ ଆଲୁଅରେ ଝଲସୁଥିବା ବେଳେ ୟୁକ୍ରେନ୍ କିଭଳି ଅନ୍ଧାର ଭିତରେ ଶଢ଼ୁଛି।

ବ୍ୟାଟେଲ ଗ୍ରାଉଣ୍ଡରେ ହାରୁଛି ରୁଷ୍ ସେନା । ହେଲେ ମିସାଇଲ ଆଉ ରକେଟ୍ ମାଡ଼ କରି ୟୁକ୍ରେନ୍କୁ ଛାରଖାର କରୁଛି । ରୁଷ୍କୁ ଧୂଳି ଚଟାଇବା ପାଇଁ ୟୁକ୍ରେନ୍କୁ ଆହୁରି ଅସ୍ତ୍ରଶସ୍ତ୍ର ଆବଶ୍ୟକ । କେମିତି ପହଞ୍ଚାଯିବ ସେ ନେଇ ଆଲୋଚନା କରିବେ ନାଟୋ ସଦସ୍ୟ ରାଷ୍ଟ୍ର। ଆସନ୍ତା ୨୯-୩୦ରେ ରୋମାନିଆର ବୁକାରେଷ୍ଟରେ ନାଟୋ ବୈଦେଶିକ ମନ୍ତ୍ରୀଙ୍କ ବୈଠକ । ଉପସ୍ଥିତ ରହିବେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ ।

ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ମଧ୍ୟ ସାମିଲ ହେବେ । ବର୍ତ୍ତମାନ ୟୁକ୍ରେନ୍ର ସର୍ବାଧିକ ଆବଶ୍ୟକତା କଣ କୁଲେବାଙ୍କୁ ପଚରାଯିବ । ବୈଠକ ପୂର୍ବରୁ ନାଟୋ ମୁଖ୍ୟ କହିଛନ୍ତି ୟୁକ୍ରେନ୍କୁ ସମର୍ଥନ ଆମ ସୁରକ୍ଷାର ପ୍ରଶ୍ନ। ଯଦି ରୁଷ୍ ଯୁଦ୍ଧ ଜିତେ ଶାନ୍ତି ଆଉ ରହିବ ନାହିଁ । ତେଣୁ ଯୁଦ୍ଧ ଚାଲୁଥିବା ଯାଏଁ ୟୁକ୍ରେନ୍କୁ ସମର୍ଥନ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି ।