କାଲି ଘୋଷଣା ହେବ ନୋବେଲ ଶାନ୍ତି ପୁରସ୍କାର, ଚର୍ଚ୍ଚାରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ନାଁ

କେନ୍ୟୁଜ୍(ବ୍ୟୁରୋ):କାଲି ଘୋଷଣା ହେବ ନୋବେଲର ଅନ୍ୟତମ ଉତ୍କଣ୍ଠିତ ପୁରସ୍କାର ନୋବେଲ ଶାନ୍ତି ପୁରସ୍କାର। ବର୍ଷ ୨୦୨୨ ପାଇଁ କିଏ ପାଇବ ନୋବେଲ ଶାନ୍ତି ପୁରସ୍କାର ତା ଉପରେ ରହିଛି ବିଶ୍ୱବାସୀଙ୍କ ନଜର। ମାନବସମାଜ ପାଇଁ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଥିବାରୁ ଏହା ସବୁଠାରୁ ମର୍ଯ୍ୟାଦାଜନକ ବୋଲି ବିବେଚିତ ହୋଇଥାଏ। ନୋବେଲ ଶାନ୍ତି ପୁରସ୍କାର ପୂର୍ବରୁ ଏହାର ସମ୍ଭାବ୍ୟ ବିଜେତାଙ୍କ ତାଲିକା ପ୍ରସ୍ତୁତ କରିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ରଏଟର୍ସ। ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି, ଜାତିସଂଘ ଶରଣାର୍ଥୀ ସଂସ୍ଥା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭଳି ସଂସ୍ଥା ସହ ସାମ୍ବାଦିକତାରେ ସତ୍ୟର ସନ୍ଧାନ କରୁଥିବା ଭାରତର ଫ୍ୟାକ୍‌ଟ ଚେକର ପ୍ରତୀକ ସିହ୍ନା ଓ ମହମ୍ମଦ ଜୁବେର ରହିଛନ୍ତି।

ରଏଟରର ସମ୍ଭାବ୍ୟ ନୋବେଲ ଶାନ୍ତି ପୁରସ୍କାର ବିଜେତା ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି। ରୁଷ- ୟୁକ୍ରେନ ଯୁଦ୍ଧ ସମୟରେ ନିଜର ଦୃଢ ମନୋବଳ ଓ ସେନାକୁ ଅକୁଣ୍ଠ ସମର୍ଥନ ନେଇ ବିଶ୍ୱର ଏକ ଚର୍ଚ୍ଚିତ ଚେହେରା। ୨୦୨୨ ଟାଇମ ମାଗାଜିନର ଶହେ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ବି ସ୍ଥାନ ପାଇଛନ୍ତି। ଫେବୃଆରୀ ୨୪ରେ ରୁଷର ଆକ୍ରମଣ ପରେ ନିଜେ କିଭ୍‌ରେ ରହି ‘ୱି ଆର ଇନ୍‌ କିଭ୍‌। ୱି ଆର ପ୍ରୋଟେକ୍ଟିଂ ୟୁକ୍ରେନ ନାରା ଦେଇ ଦେଶବାସୀଙ୍କ ହୃଦୟ ଜିତିପାରିଛନ୍ତି। ବିଶ୍ୱର ବିଭିନ୍ନ ସ୍ତରରେ ରୁଷର ଅମାନୁଷିକ ଓ ବେନିୟମ ଆକ୍ରମଣ ନେଇ ଅନ୍ତର୍ଜାତୀୟ ମେଣ୍ଟଗୁ଼ଡିକୁ ଜଣାଇବା ସହ କ୍ରେମଲିନ ଉପରେ କଟକଣା ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି।

ଏହି ଦୌଡ଼ରେ ଅନ୍ୟତମ ଦାବିଦାର ରହିଛି ଜାତିସଂଘ ଶରଣାର୍ଥୀ ସଂସ୍ଥା। ୟୁକ୍ରେନ ଓ ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ଶରଣାର୍ଥୀଙ୍କୁ ଆର୍ଥିକ ସହାୟତା ସହ ରିଲିଫ ଯୋଗାଇ ଦେଇଛି ୟୁଏନଏଚସିଆର। ଫେବୃଆରୀ ୨୪ ପରଠାରୁ ୟୁକ୍ରେନରୁ ପ୍ରାୟ ୭୨ଲକ୍ଷ ଶରଣାର୍ଥୀ ୟୁରୋପର ବିଭିନ୍ନ ଦେଶରେ ଆଶ୍ରୟ ନେଇଛନ୍ତି। କେବଳ ୟୁକ୍ରେନ ମଧ୍ୟରେ ୬୯ଲକ୍ଷ ଦେଶବାସୀ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି। ଏହାସହ ସିରିଆ ଯୁଦ୍ଧ ଓ ଭୂମଧ୍ୟସାଗରୀୟ ଶରଣାର୍ଥୀ ସଙ୍କଟ ବେଳେ ଆବଶ୍ୟକ ମାନବୀୟ ସହାୟତା ଯୋଗାଇଛି ଜାତିସଂଘ ଶରଣାର୍ଥୀ ସଂସ୍ଥା। ପୂର୍ବରୁ ୧୯୫୪ ଓ ୧୯୮୧ରେ ମଧ୍ୟ ଏହି ସଂସ୍ଥା ନୋବେଲ ଶାନ୍ତି ପୁରସ୍କାର ଲାଭ କରିଛି। ସେହିପରି କୋଭିଡ ୧୯ ସମୟରେ ତିନିବର୍ଷ ଧରି ବିଶ୍ୱ ଜୁଝୁଥିବା ସବୁଠୁ ଆଗରେ ରହିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବିଭିନ୍ନ ଦେଶକୁ ଆର୍ଥିକ ସହାୟତା ଯୋଗାଇବା, ଟିକା ଓ କୋଭିଡ ନିରାକରଣ ପାଇଁ ଉଲ୍ଲେଖନୀୟ ଅବଦାନ ରଖିଛି ଡବ୍‌ଲ୍ୟୁଏଚଓ। ୧୪୬ ଦେଶକୁ ୧୭୦ କୋଟି କୋଭିଡ ଟିକା ଯୋଗାଇ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.