‘ବ୍ୟୁରୋକ୍ରାଟ ଚପଲ ଉଠାନ୍ତି ଆମର’, IAS ଅଫିସରଙ୍କୁ ଏମିତି କହିଲେ ଉମା ଭାରତୀ; ଭିଡିଓ ଭାଇରାଲ

ବିଜେପିର ବରିଷ୍ଠ ନେତ୍ରୀ ତଥା ମଧ୍ୟ ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଆଜି ଏକ ଏଭଳି ବୟାନ ଦେଇଛନ୍ତି, ଯାହା ତାଙ୍କୁ ବିବାଦ ଘେରକୁ ଟାଣି ନେଇଛି। ସେ ବ୍ୟୁରୋକ୍ରାଟ୍ସଙ୍କୁ ଚପଲ ଉଠାଉଥିବା ଲୋକ ବୋଲି କହିଛନ୍ତି। ଉମା ଭାରତୀ କହିଛନ୍ତି, ବ୍ୟୁରୋକ୍ରାସି ଆଉ କିଛି ନୁହେଁ, ଚପଲ ଉଠାଇବା ବାଲା। ଚପଲ ଉଠାନ୍ତି ଆମର। ଆମେ ହିଁ ରାଜି ହୋଇଯାଉ ସେଥିପାଇଁ।

ଉମା କହିଛନ୍ତି,‘ଆପଣଙ୍କୁ କଣ ଲାଗୁଛି ବ୍ୟୁରୋକ୍ରାସି ନେତାଙ୍କୁ ବୁଲାନ୍ତି? ନା’, ଏକୁଟିଆରେ ପ୍ରଥମେ କଥାବାର୍ତ୍ତା ହୋଇଯାଏ। ତା’ପରେ ବ୍ୟୁରୋକ୍ରାସି ଫାଇଲ ନେଇ ଆସନ୍ତି। ଆମକୁ ପଚାର ସେମାନେ କ’ଣ। ମୁଁ ୧୧ ବର୍ଷ ମନ୍ତ୍ରୀ ଭାବେ ରହିଛି, ମୁଖ୍ୟମନ୍ତ୍ରୀ ବି ଥିଲି। ପ୍ରଥମେ ଆମ ସହ କଥା ହୁଅନ୍ତି, ଆଲୋଚନା କରନ୍ତି ତା ପରେ ହିଁ ଫାଇଲ ପ୍ରୋସେସ୍‌ ହୁଏ। ବ୍ୟୁରୋକ୍ରାସିଙ୍କର ଔକାତ କଣ । ଆମେ ତାଙ୍କୁ ଦରମା ଦେଉଛୁ। ଆମେ ତାଙ୍କୁ ପୋଷ୍ଟିଂ ଦେଉଛୁ, ପ୍ରମୋସନ୍‌ ହେଉଛୁ ଆଉ ଡିମୋସନ୍‌ ବି ଆମେ ଦେଉଛୁ। ସେମାନଙ୍କର କିଛି ଇଜ୍ଜତ ନାହିଁ। ପ୍ରକୃତ କଥା ହେଉଛି ଆମେ ବ୍ୟୁରୋକ୍ରାସି ବାହାନାରେ ହିଁ ନିଜ ରାଜନୀତି କରୁଛୁ’।

ଶନିବାର ଓବିସି ମହାସଭାର ପ୍ରତିନିଧି ମଣ୍ଡଳ ପୂର୍ବ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କୁ ଭେଟିବାକୁ ଯାଇଥିଲେ। ଏ ଅବସରରେ ସେମାନେ ମଧ୍ୟ ପ୍ରଦେଶ ସରକାରଙ୍କୁ ଓବିସି ମହାସଭାର ଦାବି ଉପରେ ଖୁବ୍‌ଶୀଘ୍ର କିଛି ନିଷ୍ପତ୍ତି ନେବାକୁ କହିଥିଲେ। ଦାବି ପୂରଣ ନ ହେଲେ ସେମାନେ ରାସ୍ତାକୁ ଓହ୍ଲାଇବେ ବୋଲି ମଧ୍ୟ ଧମକ ଦେଇଥିଲେ। ଏ ଅବସରରେ ଉମା ଭାରତୀ ବ୍ୟୁରେକ୍ରାସିକୁ ନେଇ ଏଭଳି ମନ୍ତବ୍ୟ ଦେଇଥିଲେ।