ବ୍ୟାଙ୍କରେ ପଡ଼ିଛି ୧୪ ହଜାର ୯୭୦ କୋଟି ଟଙ୍କା, ନେବାକୁ ନାହାନ୍ତି କେହି ଦାବିଦାର

ନୂଆଦିଲ୍ଲୀ: ଜମା ରାଶି ବ୍ୟାଙ୍କ ଖାତାରେ ରହିଛି, କିନ୍ତୁ ସେହି ଟଙ୍କାକୁ ନେବାକୁ କେହି ଆସୁ ନାହାନ୍ତି। ଏଭଳି ଭାବେ ଦେଶରେ ସମସ୍ତ ପବ୍ଲିକ ବ୍ୟାଙ୍କ ଓ ପ୍ରାଇଭେଟ୍‌ ବ୍ୟାଙ୍କରେ ହଜାର ହଜାର କୋଟି ଟଙ୍କାର ଧନରାଶି ପଡ଼ି ରହିଛି। ଏହାକୁ ବ୍ୟାଙ୍କିଂ ଭାଷାରେ ‘ଅନକ୍ଲେମ୍‌ଡ ମନି’ ବୋଲି କୁହାଯାଏ। ଆରବିଆଇର ନିୟମାନୁଯାୟୀ, ଯେତେବେଳେ କୌଣସି ସେଭିଂ ବ୍ୟାଙ୍କ ଖାତା କିମ୍ବା କରେଣ୍ଟ ଆକାଉଣ୍ଟରେ ୧୦ ବର୍ଷ ଧରି କୌଣସି ଟ୍ରାନଜାକ୍ସନ ବା ନେଣଦେଣ ହୋଇନଥାଏ, ସେତେବେଳେ ସେହି ଖାତାଗୁଡ଼ିକରେ ଥିବା ଜମାରାଶିକୁ ‘ଅନକ୍ଲେମଡ ମନି’ ବା ଦାବିଦାର ନ ଥିବା ଜମାରାଶି ବୋଲି ଘୋଷଣା କରାଯାଇଥାଏ।

ତେଣୁ ଏସବୁ ଟଙ୍କାର ପ୍ରକୃତ ମାଲିକ କିଏ ତାହା ଜାଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି ଅଭିଯାନ ଜରିଆରେ ବ୍ୟାଙ୍କରେ ପଡ଼ିଥିବା ଏହି ଟଙ୍କାର ପ୍ରକୃତ ମାଲିକଙ୍କୁ ଖୋଜି ସେମାନଙ୍କୁ ଟଙ୍କା ଫେରାଇବାକୁ ଚେଷ୍ଟା କରିବ ଆରବିଆଇ।

ଆରବିଆଇର ରିପୋର୍ଟ ମୁତାବକ, ୨୦୨୧-୨୨ ବର୍ଷରେ ଏହି ଦାବିଦାର ନ ଥିବା ଟଙ୍କାର ପରିମାଣ ୪୮ ହଜାର ୨୬୨ କୋଟିରେ ପହଞ୍ଚିଛି। ଏତେ ପରିମାଣର ଟଙ୍କା ବିଭିନ୍ନ ବ୍ୟାଙ୍କରେ ପଡ଼ି ରହିବା ସମସ୍ତଙ୍କୁ ଚକିତ କରିଛି। ଏହି ରାଶି ତ୍ରିପୁରା, ନାଗାଲାଣ୍ଡ, ମିଜୋରାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର, ସିକ୍କିମ୍‌ ଓ ଗୋଆ ଭଳି ରାଜ୍ୟରେ ବାର୍ଷିକ ବଜେଟ୍‌ ଠାରୁ ଢ଼େର ଅଧିକ।

RBI

ଆରବିଆଇ ରିପୋର୍ଟ ମୁତାବକ, ଏହି ରାଶି ପ୍ରତି ବର୍ଷ ବଢ଼ିବାରେ ଲାଗିଛି। ୨୦୧୬-୧୭ରେ ମୋଟ୍‌ ୧୧ ହଜାର ୩୨୦ କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କରେ ପଡ଼ିରହିଥିବା ବେଳେ ୨୦୧୭-୧୮ରେ ଏହା ବଢ଼ି ୧୪ ହଜାର ୩୦୭ କୋଟିରେ ପହଞ୍ଚିଥିଲା। ସେହିପରି ୨୦୧୮-୧୯ ବେଳକୁ ଏହି ରାଶି ୧୮ ହଜାର ୩୨୦ କୋଟିରେ ପହଞ୍ଚିଯାଇଥିଲା। ୨୦୧୯-୨୦ରେ ଏହି ରାଶି ୨୪ ହଜାର ୩୫୬ କୋଟିରେ ପହଞ୍ଚିଲା। ୨୦୨୦-୨୧ରେ ଏହି ରାଶିର ପରିମାଣ ୩୯ ହଜାର ୨୬୪ କୋଟି ଥିଲା।

ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ବ୍ୟାଙ୍କରେ ପଡ଼ି ରହିଥିବା ଏହି ଦାବିଦାର ନଥିବା ଟଙ୍କା ସବୁଠୁ ଅଧିକ ପବ୍ଲିକ ସେକ୍ଟର ବ୍ୟାଙ୍କରେ ପଡ଼ିରହିଛି। ୨୦୦୫ ମସିହା ବେଳକୁ ପବ୍ଲିକ ସେକ୍ଟର ବ୍ୟାଙ୍କରେ ୮୩୫ କୋଟି ଟଙ୍କା ଦାବିଦାର ବିହୀନ ଟଙ୍କା ପଡ଼ିଥିବା ବେଳେ ୨୦୧୯-୨୦ ବେଳକୁ ଏହି ରାଶି ୧୪ ହଜାର ୯୭୦ କୋଟିରେ ପହଞ୍ଚିଥିଲା।

ସବୁଠୁ ଅଧିକ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଏହି ଟଙ୍କା ପଡ଼ି ରହିଛି। ୨୦୨୦ରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆରେ ପାଖାପାଖି ୧ କୋଟି ୩୧ ଲକ୍ଷ ବ୍ୟାଙ୍କ ଖାତାରେ ୩ ହଜାର ୫୭୦କୋଟିର ଏଭଳି ଟଙ୍କା ଜମା ରହିଥିଲା। ଏହି ତାଲିକାରେ ବ୍ୟାଙ୍କ ଅଫ ବରୋଦା ଦ୍ୱିତୀୟ ସ୍ଥାନରେ ରହିଛି। ୨୦୨୦ରେ ବ୍ୟାଙ୍କ ଅଫ ବରୋଦାରେ ୨ ହଜାର ୮୭୦ କୋଟି ଟଙ୍କାର ଦାବିଦାର ନଥିବା ଜମା ରାଶି ଥିବା ଜଣାପଡ଼ିଛି।

ସେହିପରି ପ୍ରାଇଭେଟ୍‌ ସେକ୍ଟର ବ୍ୟାଙ୍କରେ ୨୦୦୫ ମସିହା ବେଳକୁ ୫୨ କୋଟି ୭୩ ଲକ୍ଷ ଟଙ୍କାର ଜମା ରାଶି ରହିଥିବା ବେଳେ ୨୦୧୯-୨୦ବର୍ଷ ବେଳକୁ ଏହି ରାଶି ବଢ଼ି ୨ ହଜାର ୪୭୦ କୋଟିରେ ପହଞ୍ଚିଛି।

Also Read: ଭାଗ୍ୟଫଳ : ଜାଣନ୍ତୁ ଦିନଟି କେମିତି କଟିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.