ତିହାର ଜେଲରେ ବିଗିଡ଼ିଲା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କ ସ୍ୱାସ୍ଥ୍ୟାବସ୍ଥା, ଏମ୍ସରେ ଭର୍ତ୍ତି

ତିହାର ଜେଲରେ ଥିବା ଅଣ୍ଡରୱାର୍ଲ୍ଡ ଡନ୍ ତଥା ଗ୍ୟାଙ୍ଗଷ୍ଟର୍ ଛୋଟା ରାଜନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା । ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଛୋଟା ରାଜନ ସାଇନସ୍ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ, ଯେଉଁଥିପାଇଁ ତାଙ୍କର ଅସ୍ତ୍ରୋପଚାର ହେବାର ସମ୍ଭାବନା ରହିଛି ।

ଛୋଟା ରାଜନଙ୍କୁ ଅନେକ ଗୁରୁତର ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ବିଗତ ଅନେକ ଦିନରୁ ସେ ତିହାର ଜେଲରେ ଅଛନ୍ତି । ନିକଟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯିବାରୁ ତାଙ୍କୁ ଏମ୍ସ ନିଆଯାଇଥିଲା । ସେଠାରେ ଯାଞ୍ଚ ପରେ ଜଣାପଡ଼ିଛି ଯେ ଛୋଟ ରାଜନ ସାଇନସ୍ ସମସ୍ୟାରେ ପୀଡ଼ିତ । ଏଭଳି ସ୍ଥିତିରେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ବୋଲି ଡାକ୍ତରମାନେ କହିଛନ୍ତି ।

ଛୋଟା ରାଜନ ଏମ୍ସର ଯେଉଁ ୱାର୍ଡରେ ଭର୍ତ୍ତି ହୋଇଛନ୍ତି, ସେଠାରେ ଦିଲ୍ଲୀ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ପୂର୍ବରୁ ବି ତାଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା । ଜେଲ ପ୍ରଶାସନ ମୁତାବକ, ଛୋଟା ରାଜନଙ୍କ ଅବସ୍ଥା ଉପରେ ନିରନ୍ତର ନଜର ରଖାଯାଉଛି ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରାଯାଉଛି । ଏମ୍ସରେ ତାଙ୍କର ଅସ୍ତ୍ରୋପଚାର କେବେ ହେବ ଏବଂ ଏହା କେତେ ଗମ୍ଭୀର, ତାହା ଉପରେ କୌଣସି ଅଫିସିଆଲ ବୟାନ ଆସିନାହିଁ ।

ଛୋଟା ରାଜନଙ୍କ ପ୍ରକୃତ ନାମ ରାଜେନ୍ଦ୍ର ସଦାଶିବ ନିଖଲଜେ, ଯିଏ ମୁମ୍ବାଇ ଅଣ୍ଡରୱାର୍ଲ୍ଡର ଏକ ବଡ଼ ନାମ ରହିସାରିଛି । ତାଙ୍କୁ ୨୦୧୫ରେ ଇଣ୍ଡୋନେସିଆର ବାଲିରୁ ଗିରଫ କରାଯାଇ ଭାରତ ଅଣାଯାଇଥିଲା । ଗତ ବର୍ଷ ମେ’ରେ ଏକ ସ୍ୱତନ୍ତ୍ର କୋର୍ଟ ଛୋଟା ରାଜନଙ୍କୁ ଜଣେ ହୋଟେଲ ବ୍ୟବସାୟୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ଏହି ଆଜୀବନ କାରାଦଣ୍ଡକୁ ବମ୍ବେ ହାଇକୋର୍ଟ ସ୍ଥଗିତ ରଖି ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଯଦିଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ରାଜନ ଏବେ ଜେଲରେ ରହିଛନ୍ତି ।