୨୦୨୫-୨୬ ସାଧାରଣ ବଜେଟ୍ ପୂର୍ବରୁ ଆଜି ହାଲୁଆ ଉତ୍ସବ, ନର୍ଥ ବ୍ଲକରେ ବନ୍ଦ ରହିବେ କାର୍ଯ୍ୟରେ ଜଡ଼ିତ ଅଧିକାରୀ

ଆଜି ହାଲୁଆ ଉତ୍ସବ । ୨୦୨୫-୨୬ ସାଧାରଣ ବଜେଟ୍ ପୂର୍ବରୁ ଆଜି ହାଲୁଆ ଉତ୍ସବ ପାଳନ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ନର୍ଥ ବ୍ଲକରେ ଉତ୍ସବ ଆୟୋଜିତ ହେବ । ବଜେଟ୍ ପରମ୍ପରା ଅନୁସାରେ ପ୍ରତିବର୍ଷ ବଜେଟ୍ ପ୍ରସ୍ତୁତି କାର୍ଯ୍ୟରେ ଜଡିତ ଅଧିକାରଙ୍କ ଲକ୍ ଇନ୍ ପ୍ରକ୍ରିୟା ହୁଏ । ଏହାପୂର୍ବରୁ ହାଲୁଆ ଉତ୍ସବ ପାଳନ ହୁଏ । ଉତ୍ସବ ପରେ ବଜେଟ କାର୍ଯ୍ୟରେ ଜଡିତ ଅଧିକାରୀ ନର୍ଥ ବ୍ଳକରେ ବନ୍ଦ ରୁହନ୍ତି । ସେମାନଙ୍କ ସହ କୌଣସି ପ୍ରକାର ବାହ୍ୟ ଯୋଗଯୋଗ ରହିନଥାଏ। ମୋବାଇଲ ଫୋନ ଉପରେ ମଧ୍ୟ ପ୍ରତିବନ୍ଧକ ରହେ । ବଜେଟ ଦସ୍ତାବିଜ୍ ଯେପରି ଲିକ୍ ନହୁଏ ସେଥିପାଇଁ ଏହି ଲକ୍-ଇନ୍ ପିରିୟଡ ବ୍ୟବସ୍ଥା ରହିଆସିଛି।

ଅନ୍ୟପଟେ ଜାନୁୟାରୀ ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଫେବୃୟାରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଅଷ୍ଟମ ଥର ପାଇଁ ବଜେଟ ଉପସ୍ଥାପନ କରିବେ । ଜାନୁୟାରୀ ୩୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ଦୁଇଟି ପର୍ଯ୍ୟାୟରେ ହେବ ଏହି ବଜେଟ ଅଧିବେଶନ । ପ୍ରଥମ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ଭାଗ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଦିଲ୍ଲୀ ଭୋଟ ଦିନ ବଜେଟ ଅଧିବେଶନ ଚାଲିବ ନାହିଁ । ୩ ଫେବୃଆରୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ । ବଜେଟରେ ଏଥର ପୁରୁଣା ଟାକ୍ସ ବ୍ୟବସ୍ଥା ଉପରେ କିଛି ପରିବର୍ତ୍ତନ ଆସିପାରେ । ପୁରୁଣା ଆୟକର ବ୍ୟବସ୍ଥାରେ ପରିବର୍ତ୍ତନ ନେଇ ପ୍ରଥମରୁ ଚର୍ଚ୍ଚା ଲାଗି ରହିଛି । ଏହି ଟ୍ଯାକ୍ସ ବ୍ୟବସ୍ଥା ୧ ଏପ୍ରିଲ ୨୦୨୦ରେ ଲାଗୁ କରାଯାଇଥିଲା । ଅଷ୍ଟାଦଶ ଲୋକସଭା ନିର୍ବାଚନ ପରେ ସରକାର ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ । ପରମ୍ପରା ଅନୁସାରେ ବଜେଟ ଅଧିବେଶନ ଆରମ୍ଭ ଦିନ ୩୧ ଜାନୁଆରୀରେ ସଂସଦର ଦୁଇ ଗୃହର ମିଳିତ ଅଧିବେଶନ ବୈଠକ ହେବ ।

 

ଆହୁରି ପଢନ୍ତୁ : ସର୍ବସାଧାରଣଙ୍କ ପାଇଁ ଫେବୃଆରୀ ୨ରେ ଖୋଲିବ ରାଷ୍ଟ୍ରପତି ଭବନସ୍ଥିତ ‘ଅମୃତ ଉଦ୍ୟାନ’