ବଢିଲା ଚିରାଗ ପାଶଓ୍ୱାନଙ୍କ ସୁରକ୍ଷା, Y ବଦଳରେ ଦିଆଯିବ Z ସୁରକ୍ଷା

କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ୱାନଙ୍କ ସୁରକ୍ଷାରେ ପରିବର୍ତ୍ତନ କରାଯାଇଛି । ଚିରାଗଙ୍କୁ ଗୃହ ମନ୍ତ୍ରଣାଳୟ ତରଫରୁ ଜେଡ କ୍ୟାଟେଗୋରୀ ସୁରକ୍ଷା ଦିଆଯାଇଛି । ପୂର୍ବରୁ ଚିରାଗଙ୍କ ସୁରକ୍ଷାରେ ଏସଏସବି କମାଣ୍ଡୋ ନିୟୋଜିତ ଥିଲେ । ଏବେ କିନ୍ତୁ ତାଙ୍କ Z କ୍ୟାଟେଗୋରୀ ସୁରକ୍ଷା ଦେବାକୁ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।
Z ସୁରକ୍ଷା ଅଧିନରେ ଚିରାଗଙ୍କ ସୁରକ୍ଷାରେ ୩୩ ଜଣ ପୋଲିସ ନିୟୋଜିତ ରହିବେ । ଏଥିରେ ତାଙ୍କ ଘର ବାହାରେ ୧୦ ସଶସ୍ତ୍ର ଗାର୍ଡ, ୨୪ଘଣ୍ଟା ଡ୍ୟୁଟିରେ ୬ ଜଣ ପିଏସଓ ଏବଂ ୩ଟି ସିଫ୍ଟରେ ସଶସ୍ତ୍ର ଏକ୍ସକର୍ଟ ପାଇଁ ୧୨ କମାଣ୍ଡୋ ସାମିଲ ରହିଛନ୍ତି । ଏହାସହିତ ୨ ଜଣ କମାଣ୍ଡୋ ସିଫ୍ଟ ଡ୍ୟୁଟି ଉପରେ ନଜର ରଖିବେ । ନିଜକୁ ମୋଦିଙ୍କ ହନୁମାନ କହୁଥିବା ଚିରାଗ ନିଜ ପାର୍ଟି ପାଇଁ ଲଗାତାର କାମ କରିବାରେ ଲାଗିଛି । କିଛି ସମୟ ପୂର୍ବରୁ ଆଇବି ଚିରାଗଙ୍କୁ ନେଇ ଏକ ଚେତାବନୀ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଦେଇଥିଲା । ଯାହାଫଳରେ ମନ୍ତ୍ରଣାଳୟ ଚିରାଗଙ୍କ ସୁରକ୍ଷାକୁ ବଢାଇଛି ।
ଚିରାଗ ପାଶଓ୍ୱାନ ଏବେ ଫ୍ରାନ୍ସ ଗସ୍ତରେ ରହିଛନ୍ତି । ସେଠାରେ ୪୫ତମ ବିଶ୍ୱ ଓ୍ୱାଇନ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଚିରାଗ ରାମବିଳାସ ପାଶଓ୍ୱାନଙ୍କ ମୃତ୍ୟୁ ପରେ ପାର୍ଟି ର ଦାୟିତ୍ୱ ସମ୍ଭାଳିଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ଚିରାଗଙ୍କ ପାର୍ଟି ବିଜେପି ସହିତ ଗଠବନ୍ଧନ କରିଥିଲା ।
ସୂଚନାଯୋଗ୍ୟ, ୧୨ ଅକ୍ଟୋବର ରାତିରେ ଏନସିପି ନେତା ବାବା ସିଦ୍ଦିକୀଙ୍କୁ ହତ୍ୟା କରାଯାଇଛି । ବାବା ସିଦ୍ଦିକୀଙ୍କୁ ମଧ୍ୟ Y କ୍ୟାଟେଗୋରୀ ସୁରକ୍ଷା ଦିଆଯାଇଥିଲା । ନିଜ ପୁଅ ସହିତ ଅଫିସ ଯାଉଥିବା ବେଳେ ତାଙ୍କ ଉପରେ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡିତ ବୋଲି ଜଣାପଡିଛି ।