ନ୍ୟୁୟର୍କ ଯାଉଥିବା ବିମାନରେ ନିଆଁ, ଟେକଅଫ୍ ପୂର୍ବରୁ ଜାଣିପାରିଲେ କ୍ରୁ ସଦସ୍ୟ

ଅଳ୍ପକେ ଟଳିଲା ଆଉ ଏକ ବିମାନ ଦୁର୍ଘଟଣା । ଟେକ୍ଅଫ୍ ପୂର୍ବରୁ ବିମାନ ଇଂଜିନରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ କ୍ରୁ ସଦସ୍ୟ । ଫଳରେ ଅନେକ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା । ହ୍ୟୁଷ୍ଟନରୁ ନ୍ୟୁୟର୍କ ଯାଉଥିବା ୟୁନାଇଟେଡ୍ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ବିମାନଟି ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ଇଂଜିନରେ ନିଆଁ ଲାଗିଯାଇଛି ।
ସ୍ଥାନୀୟ ସମୟାନୁସାରେ, ବିମାନ ୧୩୮୨ ସକାଳ ୮.୩୦ ମିନିଟରେ ଜର୍ଜ ବୁଶ ଇଣ୍ଟରକଣ୍ଟିନେଣ୍ଟାଲ ଏୟାରପୋର୍ଟରୁ ଲାଗାର୍ଡିୟା ଏୟାରପୋର୍ଟ ଯାଉଥିବା ବିମାନ ଇଂଜିନରେ ନିଆଁ ଲାଗିବାର ସଙ୍କେତ ମିଳିଥିଲା । ରନୱେରେ ଟେକ୍ଅଫ କରୁଥିବା ବେଳେ କ୍ରୁ ମେମ୍ବର ଉଡାଣକୁ ରଦ୍ଦ କରିଥିଲେ । ଏହାପରେ ଏୟାରଲାଇନ୍ସ ଏକ ବୟାନ ଜାରି କରିଛି ।
ଏୟାରଲାଇନ୍ସ କହିବା ମୁତାବକ, ଇଂଜିନରେ କୌଣସି ପ୍ରକାରର ତ୍ରୁଟି ଦେଖାଦେଇଥିଲା । ଏଥିପାଇଁ ଟେକଅଫ ବେଳେ ନିଆଁ ଲାଗିଥିବା ଜାଣି ଉଡ଼ାଣକୁ ରଦ୍ଦ କରିଦିଆଯାଇଥିଲା । ଯାତ୍ରୀଙ୍କୁ ରନୱେରେ ହିଁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଏହାପରେ ସେମାନଙ୍କୁ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ନିଆଯାଇଥିଲା । ବିମାନରେ ୧୦୪ ଜଣ ଯାତ୍ରୀ ରହିଥିଲେ ।
ବିମାନ ଇଂଜିନରେ ନିଆଁ ଲାଗିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ତେବେ ଓହ୍ଲାଇ ଦିଆଯାଇଥିବା ଯାତ୍ରୀଙ୍କୁ ଅନ୍ୟ ବିମାନରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା ।
ସୂଚନାଯୋଗ୍ୟ, ଆମେରିକାର ୱାଶିଂଟନ ଡିସିରେ ରିଗାନ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଏକ ଯାତ୍ରୀବାହୀ ବିମାନ ଓ ଆର୍ମି ହେଲିକପ୍ଟର ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା । ଆମେରିକା ଏୟାରଲାଇନ୍ସର ୫୩୪୨ ବିମାନ ୱିଚିଟା, କେନସସରୁ ଉଡାଣ ଭରି ୱାଶିଂଟନ ଡିସିକୁ ଆସୁଥିଲା । ରନୱେରେ ଲାଣ୍ଡିଂ କରିବା ସମୟରେ ଏକ ମିଲିଟାରୀ ହେଲିକପ୍ଟର ବ୍ଲାକ୍ ହକ୍ ଧକ୍କା ହୋଇଥିଲା । ଧକ୍କା ହେବା ପରେ ଭୟଙ୍କର ନିଆଁ ଲାଗିଯାଇଥିଲା ଆଉ ବିମାନଟି ନଦୀରେ ଖସିପଡିଥିଲା । ଏବେ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇ ୱାଶିଂଟନ ଫାୟାର ଚିଫ୍ କହିଛନ୍ତି ଯେ ଏହି ଦୁର୍ଘଟଣାରେ ସମସ୍ତ ୬୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
Also Read : ଆମେରିକାର ଫିଲାଡେଲଫିଆରେ ବିମାନ ଦୁର୍ଘଟଣା, ୬ ମୃତ