ଉନ୍ନାଓ ଅପହରଣ ଓ ଗଣଦୁଷ୍କର୍ମ ମାମଲା, ଆଜି ଦଣ୍ଡ ଶୁଣାଇବେ ଦିଲ୍ଲୀର ତିସହଜାରୀ କୋର୍ଟ

ଉନ୍ନାଓ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଆସନ୍ତା ୨୦ ତାରିଖରେ ଦଣ୍ଡାଦେଶ ଶୁଣାଣି । ଦୋଷୀ ପୂର୍ବତନ ବିଧାୟକ ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କ ବିରୋଧରେ ଆସନ୍ତା ୨୦ ତାରିଖରେ ଦଣ୍ଡବିଧାନ କରିବେ ଦିଲ୍ଲୀର ତିସହଜାରୀ କୋର୍ଟ। ଗତକାଲି ଏହି ମାମଲାରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଅପହରଣ, ଦୁଷ୍କର୍ମ, ଶାରୀରିକ ନିର୍ଯାତନା ଆଦି ମାମଲା ସହ ପୋକ୍‌ସୋ ଆଇନରେ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଜୁନ ୨୦୧୭ରେ ୧୬ ବର୍ଷିୟା ବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିଲେ ତତ୍କାଳୀନ ଉନ୍ନାଓ ବିଧାୟକ କୁଲଦୀପ ସେଙ୍ଗର । ୨୦୧୯ରେ ସେଙ୍ଗରଙ୍କୁ ଦଳରୁ ବହିଷ୍କୃତ କରିଥିଲା ବିଜେପି। ଏହାସହ ବିଳମ୍ବରେ ଚାର୍ଜସିଟ ନେଇ ମଧ୍ୟ ସିବିଆଇକୁ ଭର୍ତ୍ସନା କରିଥିଲେ କୋର୍ଟ।

ନିଜ ପରିବାରର ସୁରକ୍ଷା ପାଇଁ ପୀଡ଼ିତା ବିଳମ୍ବରେ ମାମଲା ରୁଜୁ କରିଥିଲେ। ତେବେ ପୀଡ଼ିତାଙ୍କ ବାପାଙ୍କୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ୨୦୧୮ ଏପ୍ରିଲ ୩ ତାରିଖରେ ଗିରଫ କରାଯାଇଥିଲା। ହାଜତରେ ତାଙ୍କର ମୃତ୍ୟୁ ପରେ ସେଙ୍ଗର, ତାଙ୍କ ଭାଇ ଓ ଅନ୍ୟ ୯ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା। ସେଙ୍ଗର ଜେଲରେ ଥିବା ବେଳେ ଚଳିତବର୍ଷ ଜୁଲାଇ ୨୮ ତାରିଖରେ ପୀଡିତା କୋର୍ଟକୁ ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ଟ୍ରକ ଧକ୍କା ଦେଇଥିଲା। ଏଥିରେ ତାଙ୍କର ମାଉସୀ ଓ ଖୁଡ଼ିଙ୍କ ମୃତ୍ୟୁ ହୋଇଥିବା ବେଳେ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ। ଏଥିରେ ସେଙ୍ଗରଙ୍କ ସଂପୃକ୍ତି ନେଇ ପୀଡ଼ିତାଙ୍କ ଅଭିଯୋଗ ପରେ ମାମଲାକୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.