ୟୁପିରେ ନିର୍ଭୟାକାଣ୍ଡର ପୁନରାବୃତ୍ତି: ଗଣଦୁଷ୍କର୍ମ ପରେ ପ୍ରାଇଭେଟ୍‌ ପାର୍ଟରେ ପୂରାଇଲେ ରଡ୍‌, ଭାଙ୍ଗିଲେ ଗୋଡ଼

ନିର୍ଭୟାକାଣ୍ଡର ପୁନରାବୃତ୍ତି। ପୁଣିଥରେ ମହିଳାଙ୍କ ଉପରେ ହୋଇଛି ପାଶବିକ ଅତ୍ୟାଚାର। ଉତ୍ତର ପ୍ରଦେଶର ବଦାୟୁଁରେ ଜଣେ ମହିଳାଙ୍କ ସହ ନିର୍ଭୟା ଭଳି ବୀଭତ୍ସ କାଣ୍ଡ ଦୋହରା ଯାଇଛି। ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ରଡ୍‌ ପୂରାଇ ଦେଇଛନ୍ତି ପିଶାଚ। ଫଳରେ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ରିପୋର୍ଟ ମୁତାବକ, ଘଟଣାଟି ରବିବାର ରାତିର। ରବିବାର ମହିଳା ଜଣକ ମେଓ୍ଵାଲି ଗାଁ ପାଖ ଶିବ ମନ୍ଦିରକୁ ଯାଇଥିଲେ। ସେଠାରୁ ଘରକୁ ଫେରିବା ବେଳେ ତିନିଜଣ ଯୁବକ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ସେତିକିରେ ସରିନଥିଲା ପାଶବିକତା। ଦୁଷ୍କର୍ମ ପରେ ସେମାନେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟରେ ଲୁହା ରଡ୍‌ ମଧ୍ୟ ପୂରାଇ ଦେଇଥିଲେ। ଫଳରେ ପ୍ରବଳ ରକ୍ତସ୍ରାବ ହୋଇ ମହିଳାଙ୍କ ମୃତ୍ୟୁ ଘଟିଥିଲା। ପରେ ରାତି ପ୍ରାୟ ୧୨ଟାରେ ରାକ୍ଷସମାନେ ମହିଳାଙ୍କ ମୃତଦେହକୁ ଏକ କାରରେ ଆଣି ତାଙ୍କ ଘର ସାମ୍ନାରେ ଫିଙ୍ଗି ଦେଇ ଚାଲିଯାଇଥିଲେ।

ପୋଷ୍ଟମର୍ଟମ ରିପୋର୍ଟରେ ମହିଳାଙ୍କ ଗୋଡ଼ ଭାଙ୍ଗିଥିବା ଲେଖାଯାଇଛି। ଏଥିସହ ତାଙ୍କ ଫୁସ୍‌ଫୁସ୍‌ରେ ମଧ୍ୟ ଗଭୀର ଆଘାତ ଲାଗିଥିବା ଦର୍ଶାଯାଇଛି। କୌଣସି ଓଜନିଆ ଜିନିଷରେ ମହିଳାଙ୍କୁ ବାରମ୍ବାର ପିଟାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ତେବେ ମହିଳାଙ୍କ ପରିବାର ଲୋକ ଏହି ମାମଲାରେ ପୋଲିସ ଅବହେଳା କରିଥିବା ଅଭିଯୋଗ କରିଛନ୍ତି। ଘଟଣା ରବିବାର ଘଟିଥିଲେ ମଧ୍ୟ ମଙ୍ଗଳବାର ଦିନ ପୋଲିସ ପୋଷ୍ଟମର୍ଟମ କରିଛି। ଏହି ଘଟଣାର ତଦନ୍ତ ପାଇଁ ଡିଏସ୍‌ପିଙ୍କ ତତ୍ତ୍ୱାବଧାନରେ ଏକ ୪ ଜଣିଆ ଟିମ୍‌ ଗଠନ କରାଯାଇଛି। ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କ ବିରୋଧରେ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରିଛି ତଦନ୍ତ ଚଳାଇଛି ପୋଲିସ। ତେବେ ପରିଜନଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ମହନ୍ତ ସମେତ ତାଙ୍କର ଜଣେ ସହଯୋଗୀ ଓ ଡ୍ରାଇଭର ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।

Leave A Reply

Your email address will not be published.