ଦାଢ଼ି ନ କାଟିବାରୁ ଚାକିରିରୁ ନିଲମ୍ବିତ ହେଲେ ସବଇନ୍ସପେକ୍ଟର, ଜାଣନ୍ତୁ ପୂରା ଘଟଣା

ଏମିତି ତ ଚାକିରି କାଳ ମଧ୍ୟରେ ସସ୍ପେଣ୍ଡ ହେବା ଏକ ଅତି ସାଧାରଣ କଥା । କିନ୍ତୁ ଜାଣି ଦାଢ଼ି ରଖିବା କାରଣରୁ ଯେ ଜଣଙ୍କୁ ଚାକିରି ହରାଇବାକୁ ପଡିପାରେ ଏମିତି ଘଟଣା ହୁଏତ ଆପଣ କେବେ ଶୁଣିନଥିବେ । କିନ୍ତୁ କେବଳ ଏହି କାରଣରୁ ହିଁ ଉତ୍ତର ପ୍ରଦେଶ ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ ସବଇନ୍ସପେକ୍ଟରଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ସୂଚନା ଅନୁଯାୟୀ ଏହି ସବଇନ୍ସପେକ୍ଟର ଜଣଙ୍କୁ ଦାଢ଼ି ରଖିବା ପାଇଁ ବିଭାଗ ତରଫରୁ ଅନୁମତି ନେବା ପାଇଁ ଅନେକ ଥର ନୋଟିସ ଜାରି କରାଯାଇଥିଲା । ଏହାବାଦ ବି ନିର୍ଦ୍ଧଦେଶନାମାକୁ ଅଣଦେଖା କରି ଇନ୍ତସାର ଅଲ୍ଲୀ ଦୀର୍ଘ ଦିନ ହେବ ଦାଢ଼ି ରଖି ଆସୁଥିଲେ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଇନ୍ତସାରଙ୍କ ନାଁରେ ଅନେକ ଅଭିଯୋଗ ମଧ୍ୟ ଆସିଥିଲା ।

ଏହି ଘଟଣାକୁ ନେଇ ଜିଲ୍ଲାର ପୋଲିସ ଅଧିକ୍ଷକ ବା ଏସ୍ପି ଅଭିଷେକ ସିଂହ କହିଛନ୍ତିକି, ପୋଲିସ ବିଭାଗ ତରଫରୁ ଜାରି ହୋଇଥିବା ଗାଇଡ଼ ଲାଇନ ଅନୁଯାୟୀ ଶିଖ ଧର୍ମାବଲମ୍ବୀଙ୍କ ବ୍ୟତୀତ ଅନ୍ୟ କୌଣସି ଧର୍ମର ବ୍ୟକ୍ତି ମାନଙ୍କୁ କାର୍ଯ୍ୟକାଳ ସମୟରେ ଦାଢ଼ି ରଖିବାକୁ ଅନୁମତି ଦିଆଯାଏ ନାହିଁ । ଏହି ନିର୍ଦ୍ଦେଶ ଅଧୀନରେ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଫିସର ମାନେ ବି ଆସନ୍ତି । ସେ ଏହା ମଧ୍ୟ କହିଛନ୍ତିକି, ଯଦି ଅନ୍ୟ କେଉଁ ସମ୍ପ୍ରଦାୟର ବ୍ୟକ୍ତି ଦାଢ଼ି ରଖିବାକୁ ଚାହୁଁଥାନ୍ତି ତେବେ ତାଙ୍କୁ ଅନୁମତି ନେବାକୁ ହୋଇଥାଏ । ଏସପିଙ୍କ ଅନୁଯାୟୀ, ଏବାବଦରେ ବାରମ୍ବାର ସବଇନ୍ସପେକ୍ଟର ଇନ୍ତସାର ଅଲ୍ଲୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ବି ସେ କିନ୍ତୁ ଏହାକୁ ପାଳନ କରିନଥିଲେ । ଏହାକୁ ନେଇ ଅନେକ ଥର ତାଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଉଠିଛି ।

ଏଣୁ ଶେଷରେ ବିଭାଗ ତରଫରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । କହିରଖିବା ଉଚିତ ହେବକି, ଇନ୍ତସାର ହେଉଛନ୍ତି ମୂଳତଃ ସହରନପୁର ନିବାସୀ । କିଛି ବର୍ଷ ତଳେ ସେ ଉତ୍ତରପ୍ରଦେଶ ପୋଲିସ ବିଭାଗରେ ଭର୍ତ୍ତି ହୋଇଥିବା ବେଳେ ଗତ ତିନି ବର୍ଷ ହେବ ୟୁପିର ବାଗାପତ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.