ବୟସକୁ ବାଜି ମାରିଲେ ବୃଦ୍ଧ, ୭୮ ବର୍ଷ ବୟସରେ ବି ସାଜିଲେ ପରୀକ୍ଷାର୍ଥୀ

ଜ୍ଞାନ ଆହରଣ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ । ଯଦି ମନରେ ଦୃଢ ଇଛା ଶକ୍ତି ଥାଏ ତେବେ ଜୀବନର ଯେକୌଣସି ସମୟରେ ବି ଜଣେ ବିଦ୍ୟା ଗ୍ରହଣ କରିପାରିବେ । ଏବେକା ସମୟରେ ଏପରି ଉଦାହରଣ ମାନ ଅନେକ ଥିଲେ ବି ଉତ୍ତର ପ୍ରଦେଶର ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ୭୮ ବର୍ଷ ବୟସରେ ଇଣ୍ଟରମିଡିଏଟ ପରୀକ୍ଷା ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏହି ପରୀକ୍ଷାର୍ଥୀ । ରାମକରଣ ପ୍ରଜାପତି ନାମକ ଏହି ବ୍ୟକ୍ତିଜଣକ ସ୍ଥାନୀୟ ‘ରାଜକୀୟ ବାଳିକା ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ’ ରୁ ୟୁପି ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ପରୀକ୍ଷାର ପ୍ରଥମ ଦିନ ରାମକରଣ ପ୍ରଜାପତି ହିନ୍ଦୀ ବିଷୟରେ ପରୀକ୍ଷା ଦେବା ପାଇଁ ପୂର୍ବ ନିର୍ଦ୍ଧାରିତ ସେଣ୍ଟରରେ ପହଞ୍ଚିଥିଲେ ।

ଏହି ବୟସ୍କ ବ୍ୟକ୍ତି ଜଣକ ହିନ୍ଦୀ ବିଷୟରେ ଇଣ୍ଟରମିଡିଏଟ ପରୀକ୍ଷା ଦେବାକୁ ଆସୁଥିବା ସମୟରେ ନିଜକୁ ଗର୍ବ ଅନୁଭବ କରୁଥିବା ଜଣାଯାଇଛି  । ପରେ ଅନୁସନ୍ଧାନରୁ ଜଣା ପଡିଥିଲା କି ଏହି ବ୍ୟକ୍ତି ଜଣକ ଛୋଟ ବେଳରୁ ହିଁ ଗରିବ ପରିବାରର ଥିଲେ । ୧୯୪୨ ମସିହା ଜୁଲାଇ ମାସ ୧୧ ତାରିଖରେ ତାଙ୍କର ଜନ୍ମ ହୋଇଥିଲା । ଅର୍ଥାଭାବ କାରଣରୁ ତାଙ୍କୁ ଅଧାରୁ ନିଜ ପାଠପଢା ଛାଡ଼ିବାକୁ ପଡିଥିଲା । କିନ୍ତୁ ପାଠପଢା ନିଶା ତାଙ୍କ ମନରୁ ଲିଭିନଥିଲା ।

ଫଳରେ ନିଜର ଏହି ଇଛାକୁ ପୂରଣ କରିବା ପାଇଁ ୧୯୯୭ ମସିହାରେ ସେ ୟୁପି ବୋର୍ଡର ହାଇସ୍କୁଲ ପରୀକ୍ଷା ପାସ କରିଥିଲେ । ତାଙ୍କୁ ପଚରା ଉଚୁରାରୁ ଜଣା ଯାଇଥିଲାକି ଏବେବି ସେ ନିଜ ସ୍ନାତକ ଶିକ୍ଷା ଶେଷ କରିବା ପାଇଁ ଲକ୍ଷ ରଖିଛନ୍ତି । ସୁଯୋଗ ମିଳିଲେ ନିଜ ଏହି ଇଛାକୁ ବି ସେ ନିଶ୍ଚିତ ରୂପେ ପୂରଣ କରିବେ ।