ଉତ୍ତରପ୍ରଦେଶ ଚାନ୍ଦୋଲିରେ ମର୍ମନ୍ତୁଦ ଦୁର୍ଘଟଣା, ବୋଲେରୋ ଏବଂ ଟ୍ରକ ଧକ୍କା, ୪ ମୃତ

ଉତ୍ତରପ୍ରଦେଶର ଚାନ୍ଦୋଲିରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏଥିରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୫ ଜଣ ଗୁରୁତର ରହିଛନ୍ତି । ଚନ୍ଦୋଲିର ନୋଗଢ ଥାନାର ଜୟମୋହିନୀ ନିକଟରେ ରାତିରେ ବୋଲେରୋ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି ।

ଖବର ମୁତାବକ, ବୋଲେରୋରେ ସମସ୍ତେ ସୋନଭଦ୍ରର ରେଣୁକୁଟ ଯାଉଥିଲେ । ଏମାନେ ସେଠାରୁ ଟ୍ରେନ ଯୋଗେ ପଶ୍ଚିମବଙ୍ଗ ଯାଇଥାନ୍ତେ । ହେଲେ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ବୋଲେରୋକୁ ଧକ୍କା ଦେଇଥିଲା ଟ୍ରକ । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ବୋଲେରୋରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ରହିଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଆଡମିଟ୍ କରାଯାଇଛି ।

ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ୭ ବର୍ଷର ପିଲା ଏବଂ ଦୁଇଜଣ ପୁରୁଷ ରହିଛନ୍ତି । ମୃତଦେହକୁ ପୋଷ୍ଟମଟମ ପାଇଁ ପଠାଯାଇଛି । ଘଟଣା ପରେ ସ୍ଥାନୀୟ ଲୋକ ପହଞ୍ଚି ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ଦୂର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

ସୂଚନାଯୋଗ୍ୟ, ଦିଲ୍ଲୀରୁ ଜମ୍ମୁ କଟରା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତୀର୍ଥଯାତ୍ରୀ ବସ୍‌ଟି ବୈଷ୍ଣୋଦେବୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ହଠାତ୍ ବସଟି ଭାରସାମ୍ୟ ହରାଇ ଖସିପଡିଥିଲା । ଏହି ବସରେ ୧୯ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଘଟଣାରେ ୧୭ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ଜମ୍ମୁ ବସ୍ ଷ୍ଟାଣ୍ଡ ଠାରୁ ୮ କିମି ଦୂର ମାଣ୍ଡା ନିକଟରେ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ । ସମସ୍ତ ଯାତ୍ରୀଙ୍କୁ ଉଦ୍ଧା଼ର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Also Read : ପୁଣେ ବସ୍ ଭିତରେ ଯୁବତୀକୁ ଦୁଷ୍କର୍ମ ଘଟଣା, ଡ୍ରୋନ ଏବଂ ଡଗ୍ ସ୍କ୍ବାର୍ଡ ସହାୟତାରେ ଧରାପଡିଲା ଅଭିଯୁକ୍ତ