ଉତ୍ତରପ୍ରଦେଶର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ : ୫୮ ଆସନ ପାଇଁ ଭୋଟିଂ; ୬୨୩ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ : ଆଜିଠୁ ଉତ୍ତର ପ୍ରଦେଶ ମହାସଂଗ୍ରାମ । ପ୍ରଥମ ପର୍ଯ୍ୟାୟରେ ୧୧ ଜିଲ୍ଲାର ୫୮ ସିଟ୍‌ ପାଇଁ ଚାଲିଛି ମତଦାନ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ୧୧ ଜିଲ୍ଲା ସାମ୍‌ଲି, ହାପୁର, ଗୌତମ ବୁଦ୍ଧ ନଗର, ମୁଜାଫରନଗର, ମୀରଟ, ବାଗପତ, ଗାଜିଆବାଦ, ବୁଲନ୍ଦସହର, ଆଲିଗଡ଼, ମଥୁରା ଓ ଆଗ୍ରାରେ ହେବ ମତଦାନ।

ପ୍ରଥମ ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ବିଜେପି ରାଜ୍ୟ ଉପସଭାପତି ତଥା ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂ, ସ୍ୱର୍ଗତ ବିଜେପି ବିଧାୟକ ହୁକୁମ ସିଂଙ୍କ ଝିଅ ମୃଗଙ୍କା ସିଂ, ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ଓ ସମାଜବାଦୀ ପାର୍ଟିର ନିଶାଦ ହାସନ । ୨୦୧୭ରେ ଏହି ୫୮ ସିଟ୍‌ରୁ ୫୩ ସିଟ୍‌ ଦଖଲ କରିଥିଲା ବିଜେପି । ଗତ ଥରର ଫଳାଫଳ ଦୋହରାଇବା ଲକ୍ଷ୍ୟ ରଖିଛି ଟିମ୍‌ ଯୋଗୀ। କଇରାନାରେ ଦେଶାନ୍ତରୀ ରୋକିବା, ନୋଇଡା ଅନ୍ତର୍ଜାତୀୟ ଏୟାରପୋର୍ଟ, ମଥୁରା କୃଷ୍ଣ ମନ୍ଦିର ଆଦି ପ୍ରତିଶ୍ରୁତି ଦେଇଛି ବିଜେପି ।

ଏଥର ଜୋରଦାର ମୁକାବିଲା କରୁଛି ଅଖିଲେଶଙ୍କ ସମାଜବାଦୀ ପାର୍ଟି। ଚାଷୀଙ୍କ କ୍ରୋଧକୁ ଭୋଟରେ ରୂପାନ୍ତରିତ କରିବାକୁ ଉଦ୍ୟମ କରିଛି ଅଖିଲେଶଙ୍କ ସମାଜବାଦୀ ପାର୍ଟି ଓ ଆରଏଲଡି ମେଣ୍ଟ । ବିଳମ୍ବରେ ପ୍ରଚାର ମଇଦାନକୁ ଓହ୍ଲାଇଥିବା ମାୟାବତୀଙ୍କର ମଧ୍ୟ କିଛି ସିଟ୍‌ରେ ପ୍ରଭାବ ରହିଛି । ପ୍ରିୟଙ୍କା ଗାନ୍ଧୀ ମଧ୍ୟ କିଛି ଆସନରେ ଦମ୍‌ ଲଗାଇ ପ୍ରଚାର କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୫୦ ହଜାର ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛନ୍ତି। ବର୍ଡର ସିଲ୍‌ କରି ଦେଇଛି ପୋଲିସ । ଲୋକଙ୍କ ଗତିବିଧି ଉପରେ କଡ଼ାନଜର ରଖାଯାଇଛି । ମୁଜାଫର ନଗର, ଆଲିଗଡ଼ ଓ ମିରଟରେ ସବୁଠୁ ବେଶୀ ଫୋର୍ସ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.