କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’କୁ ନେଇ ଖୁସିର ଖବର । ଉତ୍ତର ପ୍ରଦେଶ ଯୁବକମାନଙ୍କ ପାଇଁ ସରକାର ସୃଷ୍ଟି କରିଛନ୍ତି ନୂଆ ସୁଯୋଗ । ରାଜ୍ୟର ପ୍ରତ୍ୟେକ ଘରର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନର ଲକ୍ଷ୍ୟ ହାସଲ ପାଇଁ ୩୦,୦୦୦ ଯୁବକଙ୍କୁ ‘ସୂର୍ଯ୍ୟ ମିତ୍ର’ ରୂପେ ଟ୍ରେନିଂ ଦିଆଯିବ । ୟୁପି ସରକାର ଏହି ଯୋଜନା କରୁଛନ୍ତି ।
ଉତ୍ତର ପ୍ରଦେଶର ନ୍ୟୁ ଆଣ୍ଡ୍ ରିନ୍ୟୁଏବଲ୍ ଏନର୍ଜି ଡେଭେଲପ୍ମେଣ୍ଟ ଏଜେନ୍ସି (UPNEDA)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରତ୍ୟେକ ଘରେ ସୌର ଶକ୍ତି ପ୍ୟାନେଲ ସ୍ଥାପନ ପାଇଁ ସୋଲାର ଏନର୍ଜି ସେକ୍ଟରରେ କୁଶଳୀ ଶ୍ରମିକମାନଙ୍କର ବହୁତ ଆବଶ୍ୟକତା ରହିବ । ଏଥିପାଇଁ ରାଜ୍ୟ ଏଜେନ୍ସି ଜିଲ୍ଲା କେନ୍ଦ୍ର ଏବଂ ଶିଳ୍ପ ତାଲିମ କେନ୍ଦ୍ରରେ ୩୦ ହଜାର ସୂର୍ଯ୍ୟ ମିତ୍ରଙ୍କୁ ଟ୍ରେନିଂ ଦେବାକୁ ଲକ୍ଷ୍ୟ ରଖିଛି ।
ଗତ ବର୍ଷ ଫେବୃୟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ ଆରମ୍ଭ କରିଥିଲେ । ଏହା ଅଧୀନରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ଏହି ଯୋଜନା ଅଧୀନରେ ୧ କୋଟି ଘରେ ସୌର ରୁଫ୍ଟପ୍ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି । ସୋଲାର ରୁଫ୍ଟପ୍ ସ୍ଥାପନ ପାଇଁ ସରକାର ସବ୍ସିଡି ମଧ୍ୟ ପ୍ରଦାନ କରୁଛନ୍ତି ।