ସରକାରୀ ପଇସା ପାଇବା ଲୋଭରେ ସ୍ତ୍ରୀ ଆଗରେ ଶାଳୀକୁ ବାହା ହୋଇ ପଡ଼ିଲେ ଭିଣୋଇ

ଉତ୍ତର ପ୍ରଦେଶର ମହରାଜଗଞ୍ଜ ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ସାମୂହିକ ବିବାହ ଯୋଜନାରେ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ଗତ ୧୩ ସେପ୍ଟେମ୍ବରରେ ଜିଲା ମୁଖ୍ୟାଳୟର ମହାଲକ୍ଷ୍ମୀ ଲନ୍ରେ କେନ୍ଦ୍ରୀୟ ବିତ୍ତ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୩୩ ଯୋଡ଼ି ସାମିଲ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ କିଛି ଯୋଡ଼ି ପୂର୍ବରୁ ହିଁ ବିବାହିତ ଥିବା ଏବଂ କିଛିଜଣ ନାବାଳିକ ଥିବା ଜଣାପଡ଼ି ଯାଇଛି। ଏ ସବୁକିଛି ସରକାରୀ ଅନୁଦାନ ପାଇଁ କରାଯାଇଛି।
କିଛି ଯୋଡ଼ି ନିଜ ବୈବାହିକ ସମ୍ପର୍କକୁ ଲୁଚାଇ ଏବଂ ଅଧିକାରୀମାନଙ୍କର ଭିତିରି ସହଯୋଗରେ ବିବାହ ସ୍ଥଳରେ ଆସି ବସିଥିଲେ। ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସାମୂହିକ ବିବାହ ଯୋଜନାର ଯୋଗ୍ୟତା ମାପୁଥିବା କର୍ମୀ ଓ ଅଧିକାରୀମାନଙ୍କର ହୋସ୍ ଉଡ଼ି ଯାଇଛି।
କ’ଣ ମାମଲା
୧୩ ସେପ୍ଟେମ୍ବରରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନାର ଆୟୋଜନ ଜିଲା ମୁଖ୍ୟାଳୟର ମହାଲକ୍ଷ୍ମୀ ଲନ୍ରେ କରାଯାଇଥିଲା। ଲନ୍କୁ ଭବ୍ୟ ତରିକାରେ ସଜା ଯାଇଥିଲା। ବିବାହରେ ୨୩୩ ଯୋଡ଼ିଙ୍କର ପଞ୍ଜୀକରଣ ବା ସତ୍ୟାପନ କରାଯିବା ପରେ ସେମାନଙ୍କ ଧର୍ମ ଓ ରୀତିନୀତି ଅନୁସାରେ ବିବାହ ଅନୁଷ୍ଠିତ ହୋଇଥିଲା। ବରବଧୂଙ୍କୁ ଆଶୀର୍ବାଦ ଦେବା ପାଇଁ କାର୍ଯ୍ୟକ୍ରମ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଜିଲା ଅଧିକାରୀ ଡା. ଉଜ୍ଜ୍ୱଲ କୁମାର, ସିଡିଓ ଗୌରବ ସିଂ ସୋଗରଓ୍ଵାଲଙ୍କ ସହ କେତେଜଣ ଜନ ପ୍ରତିନିଧି ଉପସ୍ଥିତ ଥିଲେ। ବିବାହ ପରେ ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ବରବଧୂଙ୍କୁ ସରକାରଙ୍କ ତରଫରୁ ନିର୍ଦ୍ଧାରିତ ଅନୁଦାନ ସହ କିଛି ଉପହାର ପ୍ରଦାନ କରାଯାଇଥିଲା।
ତେବେ ଏହାରି ଭିତରେ ସାମୂହିକ ବିବାହରେ ସାମିଲ ହୋଇଥିବା ଏକ ଯୋଡ଼ିଙ୍କର ନକଲି ବିବାହ କଥା ଲୋକଲୋଚନକୁ ଆସିଯାଇଛି। କୁହାଯାଉଛି ଯେ କୋଲହୁଇ ଥାନା ଅନ୍ତର୍ଗତ ବଡ଼ିହାରୀ ନିବାସୀ ଅମରନାଥ ଚୌଧୁରୀଙ୍କ ପୁଅ ରାମନାଥ ଚୌଧୁରୀ ସରକାରୀ ଅନୁଦାନ ପାଇବା ଆଶାରେ ନିଜର ବିବାହିତା ଶାଳିଙ୍କ ସହିତ ବିବାହ କରି ନେଇଛନ୍ତି। ରାମନାଥଙ୍କର ପିଲାଛୁଆ ମଧ୍ୟ ଅଛନ୍ତି। ଖାସ୍ କଥା ହେଉଛି, ସରକାରୀ ଅନୁଦାନ ପାଇଁ ଏହି ନକଲି ବିବାହରେ ରାମନାଥ ଅର୍ଥାତ୍ ବରର ପ୍ରକୃତ ସ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
ଏହି ମାମଲାରେ ଗ୍ରାମ ପ୍ରଧାନ ମୁରଲୀଧର ଚୌଧୁରୀ କହିଛନ୍ତି, ମୋତେ ଘଟଣା ସମ୍ପର୍କରେ ପରେ ଜଣାପଡ଼ିଥିଲା। ଯଦି ମୁଁ ପୂର୍ବରୁ ଏ ବିଷୟରେ ଜାଣି ଥାଆନ୍ତି, ତା’ହେଲେ ଏମିତି ଘଟଣା ହେବାକୁ ଦେଇ ନ ଥାଆନ୍ତି। ଦୁଇଟି ପିଲାର ବାପା, ଯିଏ ସ୍ତ୍ରୀକୁ ଧରି ରହୁଛି, ସେ କେବଳ ସରକାରୀ ଅନୁଦାନ ପାଇଁ କେମିତି ଶାଳିକୁ ବିବାହ କଲା, ତାହା ସମ୍ପୂର୍ଣ୍ଣ ଭୁଲ୍। ସେପଟେ ସିଡିଓ ଗୌରବ ସିଂ ସୋଗରଓ୍ଵାଲଙ୍କ କହିବା ହେଲା, ମାମଲା ବିଷୟରେ ଜାଣି ନାହିଁ। ଘଟଣାର ତଦନ୍ତ କରାଯିବ। ଏହାପରେ ହିଁ କିଛି ସ୍ପଷ୍ଟ ରୂପେ କୁହାଯାଇ ପାରିବ।