ବିଜେପି ନେତାଙ୍କ ଅଜବ ବୟାନ, ଗୁହାଳ ସଫା କଲେ ଏବଂ ଶୋଇଲେ ଭଲ ହେବ କ୍ୟାନସର

ଉତ୍ତରପ୍ରଦେଶ ବିଜେପି ମନ୍ତ୍ରୀଙ୍କ ସଞ୍ଜୟ ସିଂଙ୍କ ଅଜବ ବୟାନ । ଗୁହାଳ ସଫା କଲେ ଏବଂ ଗୁହାଳେ ଶୋଇବା ଦ୍ୱାରା ଭଲ ହେବ କ୍ୟାନସର । ଗାଈମାନେ ରହୁଥିବା ଗୁହାଳ ସଫା କରିବା ଏବଂ ସେଠାରେ ଶୋଇବା ଦ୍ୱାରା କ୍ୟାନସର ଭଲ ହୋଇପାରିବ ବୋଲି ସେ କହିଛନ୍ତି । ନୌଗୱା ପାକାଡିଆରେ କାହ୍ନା ଗୋଶାଳା ଉଦଘାଟନୀ ଅବସରରେ ଏପରି ଦାବି କରିଛନ୍ତି ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାର ।

ଗୋଶାଳାର ଉଦଘାଟନ କରି ସଞ୍ଜୟ କହିଛନ୍ତି, “ଯଦି ରକ୍ତଚାପ ରୋଗୀ ଅଛନ୍ତି, ସେମାନଙ୍କ ପାଇଁ ଏଠାରେ ଗାଈ ଅଛି । ଯଦି ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ଗାଈର ପିଠି ଥାପୁଡ଼ାନ୍ତି, ତେବେ ତାଙ୍କର ରକ୍ତଚାପ ହ୍ରାସ ପାଇବ । ଏପରି କରିବା ଦ୍ୱାରା ୨୦ ମିଲିଗ୍ରାମ ରକ୍ତଚାପ ଔଷଧ ଖାଉଥିଲେ, ଏହା ୧୦ ମିଲିଗ୍ରାମକୁ ଖସି ଆସିବ । ମାତ୍ର ୧୦ ଦିନ ମଧ୍ୟରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିବ ।” ଏହି ଗୋଶାଳା ୫୫ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଛି । ବୁଲାଗାଈଙ୍କ ସୁରକ୍ଷା ପାଇଁ କାହ୍ନା ଗୋଶାଳା ନିର୍ମାଣ ହୋଇଛି ।

ସେ ଆହୁରି କହିଛନ୍ତି, “ଯଦି ଜଣେ କ୍ୟାନସର ରୋଗୀ ଗୁହାଳ ସଫା କରନ୍ତି ଏବଂସେଠାରେ ଶୁଅନ୍ତି, ତେବେ କ୍ୟାନସର ମଧ୍ୟ ଭଲ ହୋଇପାରିବ । ଘସି ଜାଳିଲେ ବି ମଶାଙ୍କଠାରୁ ମୁକ୍ତ ପାଇପାରିବେ । ଗାଈଠାରୁ ଉତ୍ପାଦନ ହେଉଥିବା ସମସ୍ତ ଜିନିଷ କୌଣସି ନା କୌଣସି ଉପାୟରେ ଉପଯୋଗୀ ।”

ବୁଲାଗାଈଙ୍କ ସମସ୍ୟା କଥା ଉଠାଇ ମନ୍ତ୍ରୀ ସଞ୍ଜୟ ସିଂହ କହିଛନ୍ତି, ଆମେ ଗୋମାତାର ସେବା କରୁନାହାନ୍ତି, ଏଥିପାଇଁ ଆମ ଉପରେ କୌଣସି ନା କୌଣସି ପ୍ରକାରେ କ୍ଷତି ପହଞ୍ଚୁଛି । ଏଥିସହ ମୁସଲିମମାନଙ୍କୁ ଗାଈ କ୍ଷୀରରେ ସୁସ୍ୱାଦୁ ଖାଦ୍ୟ ସହ ଇଦ୍ ମନାଇବାକୁ ସେ ଅପିଲ୍ କରିଛନ୍ତି ।

ସୂଚନାଯୋଗ୍ୟ, ସଞ୍ଜୟ ସିଂହ ଗଙ୍ଗୱାର ୨୦୧୨ ବିଧାନସଭା ନିର୍ବାଚନ ସମୟରେ ବହୁଜନ ସମାଜ ପାର୍ଟି (BSP) ପକ୍ଷରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିଲେ । ଏହାପରେ ସେ ବିଜେପିରେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like